ପୁଅ ନାଁରେ କଳଙ୍କ; ପରିବାର ଲୋକଙ୍କୁ ଘରେ ପୂରାଇ ଲଗାଇ ଦେଲା ନିଆଁ
କାମାକ୍ଷାନଗର() ମଦ୍ୟପ ପୁଅ ଘଟାଇଲା ଉନ୍ମୁକ୍ତକାଣ୍ଡ । ନିଜ ପରିବାର ଲୋକଙ୍କୁ ଘରେ ତାଲା ପକାଇ ନିଆଁ ଲଗାଇଦେଲା। ସୌଭାଗ୍ୟବଶଃତ ଗ୍ରାମବାସୀ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଥାନାରେ ଅଟକ ଅଛି ଏପରି କାଣ୍ଡ ଘଟାଇଥିବା ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଖୋକସା ଗାଁରେ ଘଟିଛି । ଅଭିଯୁକ୍ତଜଣକ ହେଲେ ଶତ୍ରୁଘ୍ନ ବେହେରା ।
ସୂଚନା ଅନୁଯାୟୀ, ଶତ୍ରୁଘ୍ନ ବେହେରା ଗାଡ଼ି ଚଳାଉଥିବା ବେଳେ ସବୁବେଳେ ମଦ୍ୟପାନ କରି ଘରେ ଝଗଡ଼ା କରିଥାନ୍ତି। ପୂର୍ବରୁ ପତ୍ନୀ ସୀମାଙ୍କୁ ନିର୍ଯାତନା ଦେଇ ୪ ମାସ ଧରି ଜେଲରେ ରହିଥିଲେ । ଗତକାଲି ମଧ୍ୟ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ନିଶାସକ୍ତ ଅବସ୍ଥାରେ ଉତ୍ତ୍ୟକ୍ତ ହୋଇ ବାପା, ମା’, ପତ୍ନୀ, ପିଲାଙ୍କୁ ଘରେ ପୂରାଇ ବାହାରୁ କବାଟ ଦେଇଦେଇଥିଲା। ଏହାପରେ ଘରେ ନିଆଁ ଲଗାଇ ଦେଇଥିଲା।
ପରିବାର ଲୋକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ସେମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଅଗ୍ନିକାଣ୍ଡରେ ୩ ବଖରା ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । କାମାକ୍ଷାନଗର ପୁଲିସ୍ ଅଭିଯୁକ୍ତ ମଦ୍ୟପ ପୁଅକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।