ଓଡ଼ିଶା

ବାଘ-ମଣିଷ ସଂର୍ଘଷ ହ୍ରାସ ପାଇଁ କଲରାପତ୍ରିଆ ଗଣନା କରିବ ଆସାମ

ଅମିନଗାଓଁ() ବାଘ ପ୍ରଜାତିର ପ୍ରାଣୀ ଓ ମନୁଷ୍ୟମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂର୍ଘଷ ହ୍ରାସ କରିବା ଲାଗି ଅରଣ୍ୟ ଏବଂ ଅରଣ୍ୟାଞ୍ଚଳ ବାହାରେ ଥିବା କଲରାପତ୍ରିଆ ବାଘଙ୍କ ସଂଖ୍ୟା ଯାଞ୍ଚ କରିବା ଲାଗି ୨୦୨୨ ଜାନୁଆରି ୩୧ ତାରିଖରୁ ଆସାମ ‘କଲରାପତ୍ରିଆ ଗଣନା’ ଆରମ୍ଭ କରିବ।

ରାଜ୍ୟରେ ପ୍ରଥମ କରି ହେଉଥିବା ଏହି ଗଣନା ଅମିନଗାଓଁର କଲରାପତ୍ରିଆ ବହୁଳ ଉତ୍ତର କାମରୂପ ଫରେଷ୍ଟ୍‌ ଡି‌ଭିଜନ୍‌ରେ ଆରମ୍ଭ ହେବ। ‘କ୍ୟାମେରା ଟ୍ରାପିଙ୍ଗ୍‌’ ପଦ୍ଧତିରେ ଗଣନା ହେଉଥିବାରୁ ଚାନଗସାରିର ‘ସିଲା ରିଜର୍ଭ ଫରେଷ୍ଟ୍‌’, ‘ନିପେର୍‌’, ଏମ୍‌ସ୍‌’ ଆଦି ଅମିନଗାଓଁର ଚାରିପଟେ ଥିବା ଅଞ୍ଚଳରେ ୫୦ଟି କ୍ୟାମେରା ଲଗାଯିବ।

ସେ ଅଞ୍ଚଳର ଡିଭିଜ୍‌ନାଲ୍‌ ଫରେଷ୍ଟ୍‌ ଅଫିସର୍‌ ସନ୍ନିଦେଓ ଚୌଧୁରୀଙ୍କ କହିବା ଅନୁସାରେ, ୨୪ ସପ୍ତାହ ଧରି ‘କ୍ୟାମେରା ଟ୍ରାପିଙ୍ଗ୍‌’ ଚାଲିବ ଏବଂ ପ୍ରତି ୭ଦିନରେ ଥରେ ପ୍ରତି କ୍ୟାମେରାରୁ ତଥ୍ୟାବଳି ବାହାର କରାଯିବ।

ଉତ୍ତର କାମରୂପ ଅରଣ୍ୟରେ ଗୋଟିଏ ସପ୍ତାହ ଧରି ଗଣନା କାର୍ଯ୍ୟ ସମ୍ପାଦନ ସଂକ୍ରାନ୍ତ ଯୋଜନା କରାଯିବ। ଏହି ସମୟ ମଧ୍ୟରେ କ୍ୟାମେରା ଟ୍ରାପ୍‌ ଯାଞ୍ଚ, ମାନଚିତ୍ର ଅଧ୍ୟୟନ, ବରିଷ୍ଠ ବନ ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା, ସ୍ବେଚ୍ଛାସେବୀ ଅଂଶଗ୍ରହଣ ଯୋଜନା, କ୍ଷେତ୍ର ସର୍ବେକ୍ଷଣ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳ ଚୟନ କରାଯିବ।

ସପ୍ତାହେ ଯାଏ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଡିଭିଜନ୍‌ର ବନ ଅଧିକାରୀମାନେ କ୍ୟାମେରା ଟ୍ରାପିଙ୍ଗ୍‌ ଅଭିଯାନର ବିଭିନ୍ନ ଦିଗ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ, ପୁଲିସ, ଗ୍ରାମ ଏବଂ ଶିକ୍ଷା ପ୍ରତିଷ୍ଠାନର ମୁଖ୍ୟ ଏବଂ ଗଣମାଧ୍ୟମ ସହ ବିଶଦ୍‌ ଆଲୋଚନା କରିବେ।

ପ୍ରସ୍ତୁତ ଯୋଜନା ଅନୁସାରେ, ଫେବ୍ରୁ୍ଆରି ୭ରୁ ‘କ୍ୟାମେରା ଟ୍ରାପିଙ୍ଗ୍‌’ ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com