ଓଡ଼ିଶା

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର() ଆଉ ନାହାନ୍ତି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପ୍ରମୋଦ କୁମାର ମହାନ୍ତି । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ବହୁ ସାହିତ୍ୟିକ, ପ୍ରଶାସକ, ବନ୍ଧୁ ପରିଜନ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଗତ ୨୦୦୮ରେ ‘ଅସରନ୍ତି ଅଣସର’ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ପରବର୍ତ୍ତୀ ସମୟରେ ମେରୀ ମହାନ୍ତି ଏହାକୁ ‘ଏଣ୍ଡଲେସ୍ ଆଡର୍ଣ୍ଣମେଣ୍ଟ’ ନାମରେ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ ।

ଶ୍ରୀ ମହାନ୍ତି ୧୯୪୨ ମସିହା ଜାନୁଆରୀ ୨୬ ତାରିଖରେ କଟକ ଜିଲ୍ଲାର ବିରିଡ଼ି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମନୋବିଜ୍ଞାନରେ ଅଧ୍ୟାପନା କରିବା ସହ କବିତା ରଚନା କରୁଥିଲେ । ସେ ‘କ୍ରମଶଃ’, ‘ଦେବୀପାଦ’, ‘ଅକାତକାତ’, ‘ଚିତ୍ର ନଦୀ’, ‘ଅକ୍ଷର ସେବା’ ପରି ୧୧ଟି କବିତା ସଙ୍କଳନ ପ୍ରକାଶ କରିଛନ୍ତି । ସେ ‘ପିଲାଙ୍କୁ କିପରି ମଣିଷ କରିବେ’, ‘ସିଗମଣ୍ଡ ଫ୍ରଏଡ୍: ଜୀବନୀ ଓ ମନସମୀକ୍ଷା ତତ୍ତ୍ୱ’ ‘କୋଣାର୍କ ମନ୍ଦିର’ ପରି କିଛି ଗଦ୍ୟ ପୁସ୍ତକ ରଚନା କରିଥିଲେ । ଶ୍ରୀ ମହାନ୍ତିଙ୍କର କବିତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ୬୩ତମ ବିଷୁବ ପୁରସ୍କାର ମିଳିଥିଲା । ଏଥିସହ ସେ ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com