ଓଡ଼ିଶା

ଆଜିଠାରୁ ଭାଲେଣ୍ଟାଇନ୍‌ ସପ୍ତାହ, ଡିମାଣ୍ଡ୍‌ରେ ଡିଜିଟାଲ୍‌ ଏଲ୍‌ଇଡି କପଲ୍‌

କଟକ: ଆଜିଠାରୁ ଆରମ୍ଭ ଭାଲେଣ୍ଟାଇନ୍‌ ବା ପ୍ରେମ ସପ୍ତାହ। ଫେବ୍ରୁଆରି ୭ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରେମ ସପ୍ତାହ। ପ୍ରଥମ ଦିନ ରୋଜ ଡେ, ତା’ପରେ ପ୍ରପୋଜ୍‌ ଡେ, ଚକୋଲେଟ ଡେ, ଟେଡି ଡେ, ପ୍ରମିଜ୍‌ ଡେ, ହଗ୍‌ ଡେ, କିସ୍‌ ଡେ ଏବଂ ଶେଷରେ ରହିଥାଏ ଭାଲେଣ୍ଟାଇନ୍‌ ଡେ। ଏହି ଭାଲେଣ୍ଟାଇନ୍‌ ଡେ ପାଳିବାକୁ ଖାସ କରି ଯୁବପିଢ଼ି ଓ ନବବିବାହିତଙ୍କ ମଧ୍ୟରେ ରହିଛି ଢେର୍‌ ଉତ୍କଣ୍ଠା। କେବଳ ପ୍ରେମୀ ଯୁଗଳ ନୁହେଁ ବାପା, ମା’, ଭାଇ, ଭଉଣୀ ଓ ଆତ୍ମୀୟସ୍ୱଜନଙ୍କ ସହ ମଧ୍ୟ ଏହି ଦିନକୁ ଖାସ କରି ପାଳନ କରାଯାଉଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ କିଏ ପାର୍କ ଯିବ ତ’ କିଏ ସିନେମା ହଲ ଯିବ। ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରିୟ ଲୋକଙ୍କୁ ଭଳିକି ଭଳି ଗିଫ୍ଟ ଓ ଫୁଲ ଦେବେ ପ୍ରେମୀଯୁଗଳ। ତେବେ, ଏହାକୁ ଦୃଷ୍ଟିରେ ରଖି ସହରରେ ଫୁଲ ବ୍ୟବସାୟୀଙ୍କ ଠୁ ଆରମ୍ଭ କରି ଗିଫ୍ଟ ବ୍ୟବସାୟୀମାନେ ଭଳିକି ଭଳି ଗିଫ୍ଟ ଆଣି ଗ୍ରାହକଙ୍କୁ ନିଜ ପ୍ରତି ଆକର୍ଷିତ କରୁଛନ୍ତି।

ରୋଜ୍‌ ଡେ : ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍‌ ସପ୍ତାହର ପ୍ରଥମ ଦିନକୁ ରୋଜ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଭିନ୍ନ ଭିନ୍ନ ରଙ୍ଗର ଗୋଲାପ ଫୁଲ ଭିନ୍ନ ଭିନ୍ନ ଲୋକଙ୍କୁ ଭିନ୍ନ ଭିନ୍ନ କାରଣ ପାଇଁ ଦିଆଯାଇ ନିଜ ଭଲ ପାଇବା ପ୍ରକାଶ କରାଯାଇଥାଏ।
ପ୍ରପୋଜ୍‌ ଡେ : ଦ୍ବିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳି ପ୍ରେମୀଯୁଗଳ ନିଜ ଭଲ ପାଇବାକୁ ପ୍ରକାଶ କରିଥାନ୍ତି।
ଚକୋଲେଟ୍‌ ଡେ: ତୃତୀୟ ଦିନ ଚକୋଲେଟ୍‌ ଦେଇ ନିଜ ଭଲପାଇବାକୁ ପ୍ରକାଶ କରାଯାଇ ସମ୍ପର୍କକୁ ମଜବୁତ କରାଯାଇଥାଏ।
ଟେଡି ଡେ : ଚତୁର୍ଥ ଦିନ ଟେଡି ଡେ’ ଭ‌ାବେ ପାଳନ କରାଯାଇ ନିଜ ପ୍ରିୟଜନଙ୍କୁ ଖୁସି କରାଇବା ପାଇଁ ଟେଡି ଉପହାର ଦିଆଯାଇଥାଏ।
ପ୍ରମିଜ୍‌ ଡେ : ଭାଲେଣ୍ଟାଇନ୍‌ ସପ୍ତାହର ପଞ୍ଚମ ଦିନକୁ ପ୍ରମିଜ୍‌ ଡେ ବା ପ୍ରତିଜ୍ଞା ଦିବସ ଭାବେ ପାଳନ କରି ପ୍ରେମୀଯୁଗଳ ସାରା ଜୀବନ ସାଥୀରେ ରହିବା ଓ ଭଲପାଇବାକୁ ନିବିଡ଼ ରଖିବା ପାଇଁ ପ୍ରତିଜ୍ଞା କରିଥାନ୍ତି।
ହଗ୍‌ ଡେ : ଷଷ୍ଠ ଦିନ ‘ହଗ୍‌ ଡେ’ ଭାବେ ସବୁ ରାଗଋଷାକୁ ଭୁଲି ପରସ୍ପରକୁ ଆଲିଙ୍ଗନ କରି ନିଜ ପ୍ରେମକୁ ପ୍ରକାଶ କରିଥାନ୍ତି ଯୁବପିଢ଼ି।
କିସ୍‌ ଡେ : ସପ୍ତାହର ସବୁଠାରୁ ରୋମାଣ୍ଟିକ୍‌ ଦିନ ଭାବେ ସପ୍ତମ ଦିନ ଦୁଇ ସାଥୀ ଚୁମ୍ବନ କରି ନିଜ ପ୍ରେମକୁ ପ୍ରକାଶ କରିଥାନ୍ତି।
ଭାଲେଣ୍ଟାଇନ୍‌ ଡେ: ପ୍ରେମ ସପ୍ତାହର ଶେଷ ଦିନ ହେଉଛି ଭାଲେଣ୍ଟାଇନ୍‌‌ ଡେ। ସପ୍ତାହର ପ୍ରତ୍ୟେକ ଦିନ ଭଳି ଭଳି ଢଙ୍ଗରେ ପ୍ରକାଶ କରିବା ପରେ ‘ଭାଲେଣ୍ଟାଇନ୍‌ ଡେ’ ଦିନ ନିଜ ପ୍ରିୟଙ୍କୁ ଶୁଭେଚ୍ଛା ଜଣାଇ କିଛି ମୁହୂର୍ତ୍ତ ବିତାଇଥାନ୍ତି ପ୍ରେମୀଯୁଗଳ।

ଭଳିକି ଭଳି ଉପହାର : ଏହି ଦିନଗୁଡ଼ିକୁ ସ୍ବତନ୍ତ୍ର କରିବା ଲାଗି ବଜାରରେ ଆସିଛି ଭଳିକି ଭଳି ଭାଲେଣ୍ଟାଇନ୍‌ ଗିଫ୍ଟ ଓ କାର୍ଡ। ସେଗୁଡ଼ିକ ମଧ୍ୟରେ ଲଭ‌୍ ବୁକ୍‌ ଦର ୫ଶହ ଟଙ୍କା, ଅମ୍ବ୍ରେଲା କପଲ୍‌ ଦର ୫ଶହରୁ ୧ହଜାର, ୟୁ ଆଣ୍ତ ମି ଷ୍ଟୋରି କୋଟେସନ୍‌ ୧ଶହ ଟଙ୍କା, ପ୍ରପୋଜ୍‌ ଲାଇଟିନିଂ ରୋଜ୍‌ ୧ଶହରୁ ୩ଶହ ଟଙ୍କା, ଡିଜିଟାଲ୍‌ ଏଲ୍‌ଇଡି କପଲ ୬ଶହ ଟଙ୍କା, ସ୍ନ‌ୋ ଫଲ୍‌ ୯ଶହ ଟଙ୍କା, ଟଚ୍‌ ହାର୍ଟ ଲ୍ୟାମ୍ପ ୧୨୫୦ ଟଙ୍କା, ଲଭ୍‌ କଫି ମଗ୍‌ ୨୫୦ ରୁ ୨୯୦ ଟଙ୍କା, ଟ୍ରି ଲଭ୍‌ କପଲ୍‌ ୭୫୦ ଟଙ୍କା, କପଲ୍‌ ହାର୍ଟ ୭ଶହ ଟଙ୍କା, ଲଭ୍‌ ବଟଲ ୩ଶହରୁ ୫ଶହ ଟଙ୍କା ରହିଛି। ଚଳିତବର୍ଷ ଡିଜିଟାଲ ଏଲ୍‌ଇଡ଼ି କପଲ, ସ୍ନୋ ଫଲ୍‌ ଓ ପ୍ରପୋଜ୍‌ ଲାଇଟିନିଂ ରୋଜ୍‌ ନୂଆ କରି ଆସିଥିବାରୁ ଏହାର ଚାହିଦା ଅଧିକ ରହିଛି। ଉପହାରଗୁଡ଼ିକ ପ୍ରତି ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ରହିଛି ୨ଶହରୁ ୫ଶହ ଟଙ୍କାର କମ୍ବୋ ପ୍ୟାକ୍‌।
ଭଳିକି ଭଳି ଭାଲେଣ୍ଟାଇନ୍‌ ଡେ କାର୍ଡ : ଭାଲେଣ୍ଟାଇନ୍‌ ଡେ ପାଇଁ ଦୋକାନମାନଙ୍କରେ ବିଭିନ୍ନ ପ୍ରକାରର କାର୍ଡ ମଧ୍ୟ ବଜାରକୁ ଆସିଛି। କାର୍ଡ ମଧ୍ୟରେ ହ୍ୟାପି ଭ୍ୟାଲେଣ୍ଟାଇନ୍ ଡେ କାର୍ଡ଼, ଫଟୋ କଟିଙ୍ଗ୍‌ କାର୍ଡ, ବେଷ୍ଟ‌୍ ଲଭ୍‌ ୱିଶେଷ କାର୍ଡ, ଇନ୍‌ସାଇଡ୍‌ କଟିଙ୍ଗ କାର୍ଡ ରହିଛି। କାର୍ଡଗୁଡ଼ିକର ଦର ୫୦ ଟଙ୍କାରୁ ଆରମ୍ଭ ହୋଇ ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି।

ବେଙ୍ଗାଲୁରୁ ଗୋଲାପର ଚାହିଦା ଅଧିକ : ରୋଜ‌୍ ଡେ’ ପାଳନ ପାଇଁ ସହରର ଫୁଲ ଦେକାନଗୁଡ଼ିକରେ ଅଧିକ ଭିଡ଼ ଦେଖିବାକୁ ମିଳିଛି। ନିଜ ପସନ୍ଦର ଗୋଲାପ ଫୁଲ ବୁକେ ମଧ୍ୟ ଆଗୁଆ ଅର୍ଡର ଦେଉଥିବା ଦେଖାଯାଇଛି। ରୋଜ‌୍‌ ଡେ’ ପାଇଁ ଫୁଲ ଦୋକାନମାନଙ୍କରେ ବିଭିନ୍ନ ରଙ୍ଗର ବୁକେ ଦର ୧୫୦ରୁ ଆରମ୍ଭ ହୋଇ ୪ଶହ ଟଙ୍କା ରହିଛି। କଲିକତୀ ଗୋଲାପ ଗୋଟା ୧୦ ଟଙ୍କା ଓ ବେଙ୍ଗାଲୁରୁ ଗୋଲାପ ଗୋଟା ୩୦ ଟଙ୍କା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com