ଜଳଭଣ୍ଡାର ମଝିରେ ଫସିଲା ଦେଶୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୭ ଯାତ୍ରୀ
![](https://i0.wp.com/odia.mobilenews24x7.com/wp-content/uploads/2022/02/vlcsnap-2022-02-08-10h42m41s553.png?resize=640%2C352&ssl=1)
ନବରଙ୍ଗପୁର() ଜଳଯାତ୍ରା ସମୟରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ୭ ଜଣ ଯାତ୍ରୀ । ଏଭଳି ଏକ ଘଟଣା ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଦେଖିବାକୁ ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହେବା ସମୟରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ମଝିରେ ଫସିଥିଲା ଏକ ଦେଶୀ ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିବା ୭ଜଣ ଯାତ୍ରୀଙ୍କୁ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ଉଦ୍ଧାର କରିଛନ୍ତି ।
ସୂଚନାଯୋଗ୍ୟ ଯେ, ତେନ୍ତୁଳିଖୁଣ୍ଟି ବ୍ଲକ୍ ମଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ତଥା ଇନ୍ଦ୍ରାବତୀ ଜଳଭଣ୍ଡାର ଅପର ପାର୍ଶ୍ବରେ ରହିଛି ତଲଙ୍ଗ ଗ୍ରାମ । ୩ ଜଣ ନାବାଳକକୁ ମିଶାଇ ମୋଟ୍ ୭ ଜଣ ଯାତ୍ରୀ ସେଠାରୁ ଏକ ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ସହରକୁ କୌଣସି କାର୍ଯ୍ୟରେ ଆସିଥିଲେ । କାମ ସାରି ବାରିଆଘାଟରୁ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟ ଦେଇ ତଳଙ୍ଗ ଅଭିମୁଖେ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ହଠାତ ଦକ୍ଷିଣା ପବନ ଆରମ୍ଭ ହେବାରୁ ଜଳଭଣ୍ଡାର ମଝିରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଏପଟ ସେପଟ ହୋଇ ଡ଼ଙ୍ଗା ଭିତରେ ପାଣି ପଶିବାକୁ ଲାଗିଥିଲା । ଫଳରେ ଡ଼ଙ୍ଗା ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲା । ତେବେ ନାଉରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧରେ ଥିବା ୧୦୮ବୋଟ୍ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ୍ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ ।
ଖବର ପାଇଁ ତୁରନ୍ତ ବୋଟ୍ ଆମ୍ବୁଲାନ୍ସରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦେଶୀ ଡ଼ଙ୍ଗା ଭିତରେ ପ୍ରାୟ ୬୦ ରୁ ୭୦ ପ୍ରତିଶତ ପାଣି ଭର୍ତ୍ତି ହୋଇଥିବା ଦେଖି ତୁରନ୍ତ ସେଠାରେ ଥିବା ୭ଜଣ ବ୍ୟକ୍ତି ଓ ୩ଟି ସାଇକେଲ ସମେତ ଅନ୍ୟାନ୍ୟ ଜିନିଷପତ୍ର ଉଦ୍ଧାର କରିଥିଲେ । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀମାନେ ଉଦ୍ଧାର ବ୍ୟକ୍ତିମାନଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି । ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ ସଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ଥିବାରୁ ଏକ ବଡ଼ ଅଘଟଣରୁ ୭ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି ।