ଜାତୀୟ

୨୦୧୯ରେ କଶ୍ମୀରରୁ ହଟିଥିଲା ୩୭୦ ଧାରା, ୨୦୨୪ରେ ପାକିସ୍ତାନ ଠାରୁ PoK ଛଡ଼ାଇ ଆଣିବ ଭାରତ

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ଗତ ୨୦୧୯ ମସିହା ଅଗଷ୍ଟ ୬ ତାରିଖରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଠିଥିଲା । ଗୃହମନ୍ତ୍ରୀ ଅମିତ ଶାହ ଏନେଇ ରାଜ୍ୟସଭାରେ ଘୋଷଣା କରିଥିଲେ । ସ୍ୱାଧୀନତା ପରଠାରୁ କଶ୍ମୀରରେ ୩୭୦ ଧାରା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ରହି ଆସିଥିଲା । କମ୍ ସମୟ ମଧ୍ୟରେ ବିନା ବିବାଦରେ ଏହାକୁ ଉଠାଇବା ସମ୍ଭବ ବୋଲି ଅଧିକାଂଶ ଲୋକଙ୍କ ମନରେ ଧାରଣା ନଥିଲା । ଏହି ଯୁଗାନ୍ତକାରୀ ପଦକ୍ଷେପକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । କାରଣ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ବର୍ଷ ବର୍ଷ ଧରି ଶାସନାଧୀନ ଥିଲେ ହେଁ ଏହା କରିବାରେ ଅସମର୍ଥ ଥିଲା ।

ତେବେ ଭାରତ ସମ୍ମୁଖରେ ଏପରି ଏକାଧିକ ସମସ୍ୟା ରହିଥିଲେ ସେଥିମଧ୍ୟରୁ ଗୋଟିଏ ହେଉଛି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) । ବାସ୍ତବରେ ପିଓକେ ହେଉଛି ଜମ୍ମୁ କାଶ୍ମୀରର ଏକ ଅଂଶ । ମିଳିତ ଜାତିସଂଘ ଓ ଅନ୍ତର୍ଜାତୀୟ ସଂଗଠନଙ୍କ ଅନୁମୋଦନ କ୍ରମେ ପିଓକେ ବର୍ତ୍ତମାନ ପାକିସ୍ତାନ କବଜାରେ ରହିଛି । ପିଓକେମୁଖ୍ୟତଃ ଆଜାଦ କଶ୍ମୀର ଓ ଗିଲଗିଟ-ବାଲଟିସ୍ତାନକୁ ନେଇ ଗଠିତ । ତେବେ ପିଓକେକୁ ଫେରାଇ ଆଣିବା ଭାରତ ପାଇଁ ଏତେ ସହଜ ହେବ ନାହିଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି ।

ତେବେ ପିଓକେକୁ ନେଇ ଏବେ ଏକ ନୂଆ ଅପଡେଟ୍ ଆସିଛି । ନିକଟରେ ଏନେଇ ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ କପିଲ ପାଟିଲ । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ଅବସରରେ ସେ ଏହି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୨୦୨୪ରେ ଭାରତ କବଜାକୁ ଆସିବ ପିଓକେ । ପ୍ରଧାନମନ୍ତ୍ରୀଙ୍କ ସୁଦକ୍ଷ କାର୍ଯ୍ୟଶୈଳୀ ପାଇଁ ସମସ୍ତ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରିବ । ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଭଳି ଐତିହାସିକ ପଦକ୍ଷେପ ନେଇ ନିଜର ବଳିଷ୍ଠ ନିଷ୍ପତ୍ତିର ପରିଚୟ ଦେଇଛନ୍ତି ମୋଦି ସରକାର ।

ଏଥିସହ ଦେଶରେ ଦରଦାମ୍ ବୃଦ୍ଧିକୁ ନେଇ ବଢ଼ୁଥିବା ଜନଅସନ୍ତୋଷକୁ ନେଇ ସେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଦେଶରେ ଆଳୁ, ପିଆଜର ଦାମ ୧୦ ଟଙ୍କା ବଢ଼ିଗଲେ ଲୋକଙ୍କୁ ତାହା ବାଧୁଛି । ମାତ୍ର ଲୋକମାନେ ଚିକେନ, ମଟନ, ପିଜା ଆଦି ଚଢ଼ା ମୂଲ୍ୟରେ କିଣିବାକୁ କୁଣ୍ଠାବୋଧ ପ୍ରକାଶ କରୁନାହାନ୍ତି । ପ୍ରତ୍ୟେକ ସମସ୍ୟାକୁ ନେଇ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରିବା ଅନୁଚିତ । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ୨୦୨୪ରେ ଲୋକସଭା ନିର୍ବାଚନ ଥିବାରୁ ମୋଦି ସରକାର କ୍ଷମତା ହାତେଇବା ପାଇଁ ଏଭଳି କିଛି ବଡ଼ ପଦକ୍ଷେପ ନେଇପାରନ୍ତି । ତେବେ ଜଣେ କେନ୍ଦ୍ରମନ୍ତ୍ରୀ ଏଭଳି ଏକ ଗୁରୁତ୍ୱର୍ପୂ ମନ୍ତବ୍ୟ ଦେଇଥିବାରୁ ଏହା କେତେଦୂର ସତ ହେଉଛି ତାହା ଆସନ୍ତା ୨୦୨୪ରେ ଜଣାପଡ଼ିବ । ।

Related Articles

Back to top button
WP Twitter Auto Publish Powered By : XYZScripts.com