Featuredଜାତୀୟ

ସୁସ୍ଥ ଶିଶୁକୁ ଜନ୍ମ ଦେଲେ ୭ ମାସ ହେଲା କୋମାରେ ଥିବା ମହିଳା

ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଜନୈକା ମହିଳା ଏପରି ପରିସ୍ଥିତିରେ ଶିଶୁକୁ ଜନ୍ମ ଦେଇଛନ୍ତି ଯାହା କୌଣସି ଚମତ୍କାରରୁ କମ୍ ନୁହେଁ। ୨୩ ବର୍ଷିୟ ମହିଳା ଗତ ୭ ମାସ ହେଲା ହସ୍ପିଟାଲରେ କୋମାରେ ରହିଛନ୍ତି। ଏପରି ପରିସ୍ଥିତିରେ ସେ ସ୍ୱଭାବିକ ପ୍ରସବ କରିବା ସମସ୍ତଙ୍କୁ ଚକିତ କରିଛି। ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏମସ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗ ପକ୍ଷରୁ କୁହାଯାଇଛି। ଏମସ୍‌ ରେ କୋମାରେ ଥିବା ମହିଳା ବୁଲନ୍ଦସରର ଓ ସେ ୭ ମାସ ପୂର୍ବେ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମୁଣ୍ଡରେ ଏଥିପାଇଁ ସର୍ଜରୀ ହୋଇଥିଲେ ମଧ୍ୟ ମହିଳାଙ୍କର ଏପର୍ଯ୍ୟନ୍ତ ଚେତନା ଫେରିନାହିଁ। ଡାକ୍ତରଙ୍କ ଅନୁସାରେ ଶିଶୁକୁ ଜନ୍ମ ଦେଇଥିବା ମହିଳା ୩୧ ମାର୍ଚ୍ଚ ୨୦୨୨ରେ ମୋଟରସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ମୁଣ୍ଡରେ ଜୋରଦାର ଆଘାତ ଲାଗିଥିଲେ। ତେବେ ଦୁର୍ଘଟଣାର ଶିକାର ହେବା ବେଳକୁ ମହିଳା ୪୦ ଦିନ ଗର୍ଭବତୀ ଥିଲେ।

ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟର ସମୀକ୍ଷା କରିଥିଲେ ଓ ଗର୍ଭସ୍ତ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ତେବେ ସେତେବେଳେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ମହିଳାଙ୍କ ଗର୍ଭ ରଖିବା ନ ରଖିବା ତାଙ୍କ ପରିବାରଙ୍କ ଉପରେ ନ୍ୟସ୍ତ କରିଥିଲେ। ଏଥିରେ ମହିଳାଙ୍କ ସ୍ୱାମୀ ଗର୍ଭସ୍ତ ଶିଶୁକୁ ବଞ୍ଚାଇ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ମହିଳାଙ୍କ ଗର୍ଭରେ ଶିଶୁଟି ବଢିଥିବା ବେଳେ ଗତ ସପ୍ତାହରେ ଭୂମିଷ୍ଟ ହୋଇଛି। କୁହାଯାଉଛି ମହିଳା ହସ୍ପିଟାଲକୁ ବେହୋସ ଆସିଥିଲେ। ୩୧ ମାର୍ଚ୍ଚରୁ ୧୫ ଜୁନ ମଧ୍ୟରେ ତାଙ୍କ ମସ୍ତିଷ୍କରେ ୫ଟି ନ୍ୟୁରୋ ସର୍ଜିକାଲ ଅପରେସନ ହୋଇସାରିଛି। ଏହା ପରେ ବି ମହିଳା ପୂର୍ଣ୍ଣ ଚେତନା ପାଇ ନାହାନ୍ତି। ସେ ମଝିରେ ମଝିରେ ଆଖି ଖୋଲୁଛନ୍ତି ହେଲେବି ତାଙ୍କ ମସ୍ତିଷ୍କ କୌଣସି ନିର୍ଦ୍ଦେଶ ଗ୍ରହଣ କରୁ ନାହିଁ। ସେ ଅବଚେତନ ଅବସ୍ଥାରେ ରହୁଛନ୍ତି। ଯେହେତୁ ମହିଳା ବେହୋସ ଅଛନ୍ତି ଶିଶୁକୁ ସ୍ତନ୍ୟପାନ କରାଇ ପାରୁ ନାହାନ୍ତି। ଶିଶୁଟିକୁ ବୋତଲରେ ଫିଡିଂ ଦିଆଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com