ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ବିବାହ କରିବେ ଫରହାନ୍-ଶିବାନୀ, ହନି ଇରାନୀ କଲେ କନଫର୍ମ
ମୁମ୍ବାଇ() ବଲିଉଡରେ ବିବାହର ଋତୁ । ଜଣଙ୍କ ପରେ ଜଣେ ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ । ଏହି ତାଲିକାରେ ଆଉ ଜଣଙ୍କ ନାମ ରହିଛି । ଆଉ ଦିନଟା ପରେ ପଡିବାକୁ ଯାଉଛି ଏହି ଦୁଇଜଣଙ୍କର ହାତଗଣ୍ଠି । ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନେବେ ସାତ ଫେରା । ଫେବୃଆରୀ ୧୯ରେ ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ କରିବେ ବିବାହ । ଏହାପୂର୍ବରୁ ଅର୍ଥାତ୍ ଫେବୃଆରୀ ୧୭ରେ ଶିବାନୀ ଦାଣ୍ଡେକରଙ୍କ ହଲଦି ସମାରୋହ ଆୟୋଜିତ ହୋଇସାରିଛି। ଯେଉଁଥିରେ ତାଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକ ସାମିଲ ହୋଇଛନ୍ତି । ଯାହାର ଫଟୋ ଏବେ ସୋସିାାଲ ମିଡିଆରେ ଦେଖିବାକୁ ମିଳିଛି।
ଏନେଇ ଗୁରୁବାର ଫରହାନ ଅଖତରଙ୍କ ମା’ ହନି ଇରାନୀ ବିବାହର ତାରିଖ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଗତ ୪ବର୍ଷରୁ ଫରହାନ ଓ ଶିବାନୀ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ। ହେଲେ ଏବେ ଦୁହେଁ ନିଜ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୯ରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ହନି ଇରାନୀ କହିଛନ୍ତି, ବିବାହ ପୂର୍ବରୁ ସମସ୍ତ ରୀତିନୀତି ଆରମ୍ଭ ହୋଇଥିବା ବେଳେ ଘରେ ସମସ୍ତ ପ୍ରସ୍ତୁତି କରାଯାଇଛି। ଶିବାନୀଙ୍କ ଘନିଷ୍ଠ ବନ୍ଧୁମାନେ ଏକ ମେହେନ୍ଦୀ ସମାରୋହର ମଧ୍ୟ ଆୟୋଜନ କରିଛନ୍ତି।
ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହେବେ । ତେବେ ବିବାହ ସ୍ଥାନକୁ ନେଇ ଏବେ ଗୋପନୀୟ ରଖାଯାଇଛି। ବିବାହ ପରେ ଫରହାନ ଓ ଶିବାନୀ ମିଶି ଏକ ଗ୍ରାଣ୍ଡ ରିସେପଶନ ପାର୍ଟିର ଦେବେ ବୋଲି ଜଣାପଡିଛି। ଏଥିରେ ପରିବାର ଲୋକ, ଘନିଷ୍ଠ ବନ୍ଧୁ ଓ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ସେଲିବ୍ରିଟି ସାମିଲ ହେବେ । ତେବେ ଫରହାନ ଓ ଶିବାନୀଙ୍କ ବିବାହକୁ ନେଇ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି।