ଓଡ଼ିଶା

ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆନ୍ଧ୍ରପ୍ରଦେଶ ଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇ ଦିନିଆ ଓଡିଶା ଗସ୍ତ ସାରି ବିଶାଖାପାଟଣା ଅଭିମୁଖେ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ |ପୁରୀରେ ବିଶ୍ୱ ବୈଷ୍ଣବ ସାଧୁ ସମ୍ମିଳନୀରେ ଯୋଗଦେଇ ଭୁବନେଶ୍ୱର ବିମାନବନ୍ଦର ଫେରିଥିଲେ ରାଷ୍ଟ୍ରପତି। ତାଙ୍କ ସହ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରୁ ଫେରି ଭୁବନେଶ୍ୱର ବିମାନ ବନ୍ଦରରେ ବିଦାୟ ଦେଇଛନ୍ତି। ଏଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଫେରିଯାଇଛନ୍ତି | ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଦୁଇ ଦିନ ଧରି କଡା ସୁରକ୍ଷା ବଳୟ ଭିତରେ ଥିଲା ଭୁବନେଶ୍ୱର ଏୟାରପୋର୍ଟ। ପୁଲିସ ଡିଜିପି, ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନା ମୁତାବକ ରାଷ୍ଟ୍ରପତି ହେବା ପରେ ରାମନାଥ କୋବିନ୍ଦଙ୍କ ଏହା ତୃତୀୟ ପୁରୀ ଗସ୍ତ ଥିଲା ।

ପ୍ରଥମ ଥର ୨୦୧୮ ମସିହା ମାର୍ଚ୍ଚରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିଥିଲେ। ଶେଷ ଥର ୨୦୨୧ ମସିହାରେ ବି ରାଷ୍ଟ୍ରପତି ପୁରୀ ଗସ୍ତରେ ଆସିଥିଲେ। ଗତକାଲି ରାଷ୍ଟ୍ରପତି ଗର୍ଭଗୃହରୁ ସପରିବାର ଶ୍ରୀଜିଉଙ୍କ ଦର୍ଶନ ପରେ ମା’ ବିମଳା ଓ ମା’ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ କୌଳିକ ପଣ୍ଡାଙ୍କ ଜରିଆରେ ନାଲି ରଙ୍ଗର ପତିତପାବନ ବାନା ବାନ୍ଧିଥିଲେ ।

ଗତକାଲି ପୁରୀ ରାଜଭବନରେ ରାତି କାଟିବା ପରେ ଆଜି ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇଥିଲେ । ଏଥିରେ, ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com