ଓଡ଼ିଶା
ନବରଙ୍ଗପୁରରେ ତେଜିଲା ନିର୍ବାଚନ ହିଂସା: ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼, ପୋଡିଲେ କଂଗ୍ରେସ ନେତାଙ୍କ ବାଇକ ଓ କାର

ନବରଙ୍ଗପୁର/ ପାପଡାହାଣ୍ଡି() ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନୀ ହିଂସା ତେଜିଛି | ପୂର୍ବରୁ ଜିଲ୍ଲାରେ ଏପରି ନିର୍ବାଚନୀ ହିଂସା କେବେ ଦେଖିବାକୁ ମିଳିନଥିଲାବେଳେ ଗତକାଲି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ଼ ହୋଇଥିବାବେଳେ ଆଜି କଂଗ୍ରେସ ନେତାଙ୍କ ବାଇକ ଓ କାର ପୋଡିଦିଆଯାଇଥିବାର ଦେଖିବାକୁ ମିଳିଛି | ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକର ଡଙ୍ଗରା ଗ୍ରାମର କଂଗ୍ରେସ ନେତା କେ. ଝାଡ଼େଶ୍ୱର ନିଜ ବାଇକ ଓ କାରକୁ ଧାନ ଖଳାରେ ରଖିଥିଲେ |
ଶନିବାର ରାତ୍ର ୧.୩୦ ସମୟରେ ଡଙ୍ଗରା ଗ୍ରାମର ଦୁଇ ଯୁବକ ବାଇକ (ଓଆର୨୪ ଏ ୩୫୬୧) ଓ କାର (ଓଆର୧୦ଜି ୦୦୧୮) ରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ | ସାହି ଲୋକେ ଦେଖିବା ପରେ ତୁରନ୍ତ ଝାଡ଼େଶ୍ୱରଙ୍କୁ ସୂଚନା ଦେଇଥିଲେ | ଘଟଣାସ୍ଥଳରେ ଝାଡ଼େଶ୍ୱର ପହଞ୍ଚି ଗ୍ରାମବାସୀଙ୍କ ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବି ବାଇକ ଓ କାର ସମ୍ପୂର୍ଣ ଜଳିଯାଇଥିଲା | ଏନେଇ ଝାଡ଼େଶ୍ୱର କୋଡ଼ିଙ୍ଗା ଥାନାରେ ଦୁଇ ଯୁବକଙ୍କ ନାମରେ ଲିଖିତ ଅଭିଯୋଗ ଦେଇଥିବା ସୂଚନା ମିଳିଛି | ତ୍ରିସ୍ତରୀୟ ନିର୍ବାଚନରେ କଂଗ୍ରେସ ଦଳ ଭଲ ସ୍ଥିତିରେ ଥିବାରୁ ବିପକ୍ଷ ସହ୍ୟ ନକରିପାରି ଏଭଳି କାଣ୍ଡ ଘଟେଇଥିବା ଝାଡ଼େଶ୍ୱର କହିଛନ୍ତି |