ମହଙ୍ଗା ହେବ ଖାଇବା ତେଲ, ବିଶ୍ୱ ବଜାରରେ ପ୍ରଭାବ ପକାଇବ ରୁଷ ବିରୋଧରେ ଲାଗିଥିବା କଟକଣା
ନୂଆଦିଲ୍ଲୀ() ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଉଭୟ ଦେଶ ଗହମ ଓ ମକା ରପ୍ତାନିରେ ସମଗ୍ର ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସୂର୍ଯ୍ୟମୁଖୀ ଉତ୍ପାଦ ରପ୍ତାନିରେ ଏହି ଦୁଇ ଦେଶର ମିଳିତ ଯୋଗଦାନ ୫୦% ରହିଛି । ଏଭଳି କ୍ଷେତ୍ରରେ ଆଗକୁ ଦେଶରେ ଖାଇବା ତେଲ ଦର ପୁଣି ବଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।
ରୁଷ ଉପରେ କଟକଣା ଫଳରେ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସାମଗ୍ରୀ ଦର ବଢ଼ିବା ସହିତ ଦରବୃଦ୍ଧି ସମସ୍ୟା ଆହୁରି ତେଜିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ସେହିପରି, ମାସକ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧% ବୃଦ୍ଧି ପାଇଲାଣି । ରୁଷ-ୟୁକ୍ରେନ ସଂକଟ ମଧ୍ୟରେ ବ୍ୟାରେଲ ପିଛା ଏହା ୧୦୫ ଡଲାର ଛୁଇଁଛି । ଏଭଳି କ୍ଷେତ୍ରରେ ଭାରତ ସରକାର ସମସ୍ୟା ମଧ୍ୟକୁ ଆସିପାରନ୍ତି । କେନ୍ଦ୍ରର ବିତ୍ତୀୟ ଗଣିତ ବିଗିଡିପାରେ । ତୈଳ ଦର ବୃଦ୍ଧି ପ୍ରଭାବରୁ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ଉତ୍ପାଦ ଶୁଳ୍କ କମାଇପାରନ୍ତି ସରକାର । ଫଳରେ ୨୦୨୨-୨୩ ଆର୍ଥିକବର୍ଷରେ କେନ୍ଦ୍ରର ରାଜକୋଷ ୧ ଲକ୍ଷ କୋଟି ଟଙ୍କା ସଙ୍କୁଚିତ ହୋଇପାରେ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ତୈଳ ଦରରେ ବଡ଼ ମାତ୍ରାରେ ବୃଦ୍ଧି ସତ୍ତେ୍ୱ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଗତ ନଭେମ୍ବରରୁ ଏହା ବଦଳିନାହିଁ । ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ଏହା ଉପରେ ବ୍ରେକ୍ ଲାଗିଛି । କିନ୍ତୁ ଥରେ ନିର୍ବାଚନ ଶେଷ ହେବା ପରେ ଦର ବଢ଼ିଚାଲିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।