ଜାତୀୟଶିକ୍ଷା

ମାଆ ଦିନ ମଜୁରିଆ, ବାପା ଦରଜୀ, ପୁଅ ହେଲେ IAS ଅଫିସର

ନୂଆଦିଲ୍ଲୀ : ତ୍ୟାଗ ଏବଂ ସଂଘର୍ଷ ବଦଳାଇଦିଏ ଜୀବନ। ଭେଟିଦିଏ ସଫଳତା। ସେମିତି ଜଣେ ସଫଳ ବ୍ୟକ୍ତିତ୍ବ ଗଞ୍ଜାମ ଜିଲ୍ଲାପାଳ ବିଜୟ କୁଲାଙ୍ଗେ। IAS ଅଫିସର ହେବା ପାଇଁ ସେ କରିଛନ୍ତି ଅନେକ ସଂଘର୍ଷ। ପିଲାଙ୍କୁ ପାଠ ପଢାଇଛନ୍ତି, ଡାକ୍ତରୀ ସିଟ୍‌ ଛାଡିଛନ୍ତି, ଏମିତି ଅନେକ କିଛି…
ବିଜୟଙ୍କ ବାପା ଜଣେ ଦରଜୀ। ମାଆ ଦିନ ମଜୁରି କରି ରୋଜଗାର କରନ୍ତି। ମହାରାଷ୍ଟ୍ରର ଅହମ୍ମଦନଗରର ରାଲେଗାନରେ ତାଙ୍କ ଜନ୍ମ। ପରିବାର କହିଲେ ବାପା, ମାଆ ସାନ ଭଉଣୀ। ବାପା ମାଆ ଉଭୟ ମିଶି ଦିନକୁ ୨୦୦ ଟଙ୍କା ରୋଜଗାର କରିବା କଷ୍ଟ ହୋଇପଡୁଥିଲା। ସେତିକି ରୋଜଗାରରେ ୪ପ୍ରାଣୀ ଚଳିବା ଅହୁରି କଷ୍ଟ।  ବିଜୟ କୁହନ୍ତି, ସେ  ଏବଂ ତାଙ୍କ ସାନ ଭଉଣୀଙ୍କୁ ପିଲାଦିନେ କେବେ ଖେଳନା ଟିଏ ମିଳିନି। କମ୍‌ ରୋଜଗାରର ମଧ୍ୟ ତାଙ୍କ ବାପା ତାଙ୍କ ଶିକ୍ଷା ପ୍ରତି ଗୁରୁତ୍ବ ଦେଉଥିଲେ ଏବଂ ତାଙ୍କୁ ସ୍କୁଲ୍‌ ଛାଡୁଥିଲେ। ସାଙ୍ଗ ଏବଂ ଗାଁର ବଡ ଭାଇ ଭଉଣୀଙ୍କ ଠାରୁ ବିଜୟ ବହି ମାଗି ପାଠ ପଢୁଥିଲେ।

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ବିଜୟ ସ୍କୁଲ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ସେବେଠୁ ସେ ବଡ ହୋଇ ଡାକ୍ତର ହେବାକୁ ଚାହୁଁଥିଲେ। ଲୋକଙ୍କୁ ସେବା କରିବାର ଇଚ୍ଛା ଥିଲା। MBBS ପଢିବା ପାଇଁ ତାଙ୍କୁ କଲେଜରେ ସିଟ୍‌ ମଧ୍ୟ ମିଳିଲା। କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ସେ ଡାକ୍ତରୀ ପଢିପାରିଲେନି।

କେମିତି ପାଠ ପଢି ଜଲ୍‌ଦି ରୋଜଗାର କରିହେବ ସେଥିପାଇଁ ବିଜୟ D.Ed ବା Diploma in Education କଲେ। ପାଠ ପଢା ସରିବା ପରେ ସେ ଏକ ସରକାରୀ ସ୍କୁଲ୍‌ରେ ପ୍ରାଇମେରୀ ଶିକ୍ଷକ ଭାବେ ଯୋଗଦେଲେ।

କିନ୍ତୁ ବିଜୟଙ୍କର ସବୁବେଳେ କିଛି ବଡ ଉପଲବ୍ଧି ଇଚ୍ଛା ଥିଲା। ବାପା ମଧ୍ୟ ଏଥିରେ ତାଙ୍କୁ ସମର୍ଥନ କରୁଥିଲେ। ଥରେ ବାପା ତାଙ୍କୁ ପ୍ରଶାସନିକ ସେବାରେ ଯୋଗଦେବାକୁ ପ୍ରସ୍ତୁତି କରିବାକୁ କହିଲେ। ଏହାପରେ ସେ Maharashtra State Civil Servic ପାଇଁ ପ୍ରସ୍ତୁତି କଲେ। ତୃତୀୟ ଉଦ୍ୟମରେ ସେ ଏଥିରେ କୃତକାର୍ଯ୍ୟ ହେଲେ। ଅହମ୍ମଦନଗରରେ ସେଲ୍ସ ଟ୍ୟାକ୍ସ ଇନ୍‌ସ୍ପେକ୍ଟର ଏବଂ ତହସିଲଦାର ଚାକିରି କଲେ। ପରେ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି କଲେ। ୨୦୧୨ରେ ପାଇଲେ ସିଭିଲ୍‌ ସର୍ଭିସ୍‌।
IAS ଅଫିସର ଭାବରେ ବିଜୟଙ୍କର ପ୍ରଥମ ପୋଷ୍ଟିଂ ଓଡ଼ିଶାର ଢେଙ୍କାନାଳରେ ହେଲା। ପରେ ଗଞ୍ଜାମ ଜିଲ୍ଲାପାଳ ଭାବେ ପୋଷ୍ଟିଂ। ଅଫିସର ଭାବେ ନିଜ ଦକ୍ଷତା ମଧ୍ୟ ପ୍ରମାଣିତ କରିଛନ୍ତି ବିଜୟ କୁଲାଙ୍ଗେ।

କୋଭିଡ୍‌ ମହାମାରୀ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଥାଇଥାନ୍ ଏବଂ ବାତ୍ୟା ଫାନି, ୟାସ୍ ଏବଂ ଆମ୍ଫାନ୍ ସମୟରେ ପ୍ରଭାବିତଙ୍କ ପାଇଁ ସୁବ୍ୟବସ୍ଥା କରି ପ୍ରଶଂସା ସାଉଁଟିଛନ୍ତି ସେ।

ବିଜୟ ଏକ ମରାଠୀ ପୁସ୍ତକ ‘ଆଜା ଦିୱାସ୍ ମଜା’ ଲେଖିଛନ୍ତି। ଯେଉଁଠାରେ ସେ ତାଙ୍କର ସଂଘର୍ଷମୟ ଯାତ୍ରା ବିଷୟରେ ବର୍ଣ୍ଣନା ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com