ସରକାରଙ୍କୁ ବିଶ୍ବର ଏକମାତ୍ର ଛୁଞ୍ଚି-ମୁକ୍ତ ଟିକା ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କଲା ‘ଜାଇଡସ୍ କାଡିଲା’

ଅହମଦାବାଦ୍: ବରାଦ ମୁତାବକ ଭାରତ ସରକାରଙ୍କୁ କୋଭିଡ୍-୧୯ ଟିକା ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କରିଥିବା କଥା ଆଜି ଔଷଧ କମ୍ପାନି ‘ଜାଇଡସ୍ କାଡିଲା’ କହିଛି। ଅହମଦାବାଦର ଚଙ୍ଗୋଦରରେ ଥିବା ‘ଜାଇଡସ୍ ବାୟୋଟେକ୍ ପାର୍କ’ର ଅତ୍ୟାଧୁନିକ ‘ଜାଇଡସ୍ ଭ୍ୟାକ୍ସିନ୍ ଟେକ୍ନୋଲୋଜି ଏସ୍କେଲେନ୍ସ୍ ସେଣ୍ଟର୍’ ଏହି ଟିକା ପ୍ରସ୍ତୁତି କରାଯାଇଛି।
ଏ ସଂକ୍ରାନ୍ତରେ ବିବୃତି ଦେଇ କମ୍ପାନି କହିଛି, ଭାରତ ସରକାରଙ୍କୁ ଆମେ ୩ ଡୋଜ୍ବିଶିଷ୍ଟ ‘ଜାଇକୋଭ୍-ଡି’ ଯୋଗାଣ ଆରମ୍ଭ କରିଛୁ। ଘରୋଇ ବଜାରକୁ ମଧ୍ୟ ଏହି ଟିକା ଯୋଗାଇବାକୁ ଆମେ ବ୍ୟବସ୍ଥା କରୁଛୁ।

ଗତବର୍ଷ ଅଗଷ୍ଟ ମାସରେ ‘ଡ୍ରଗ୍ସ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ’ଙ୍କ (ଡିସିଜିଆଇ) ଠାରୁ ଜରୁରୀକାଳୀନ ବ୍ୟବହାର ସ୍ବୀକୃତି (ଇୟୁଏ) ପାଇଥିବା ‘ଜାଇକୋଭ୍-ଡି’ ହେଉଛି ବିଶ୍ବର ଏକମାତ୍ର ଛୁଞ୍ଚି-ମୁକ୍ତ ଟିକା। ଏହା ମଧ୍ୟ ବିଶ୍ବର ପ୍ରଥମ ‘ପ୍ଲାଜ୍ମିଡ୍ ଡିଏନ୍ଏ’ ଟିକା। ଉତ୍ପାଦନ ଲାଇସେନ୍ସ୍ ଏବଂ ଟେକ୍ନୋଲୋଜି ଟ୍ରାନ୍ସ୍ଫର୍ ପାଇଁ କମ୍ପାନି କୋରିଆ ସାଧାରଣତନ୍ତ୍ରର ‘ଏଞ୍ଜାଇକେମ୍ ଲାଇଫ୍ସାଇନ୍ସେସ୍’ ସହ ରାଜିନାମା କରିଛି। ୩ ଡୋଜ୍ବିଶିଷ୍ଟ ଏହି ଟିକାର ପ୍ରଥମ ଡୋଜ୍ ଦିଆଯିବାର ୨୮ ଏବଂ ୫୬ ଦିନ ପରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଡୋଜ୍ ଦିଆଯାଏ।
ଡୋଜ୍ପିଛା ୨୬୫ ଟଙ୍କା ଥିବା ଏହି ଟିକା ଆବେଦନକାରୀଙ୍କୁ ‘ଜିଏସ୍ଟି’ ବାଦ୍ ଦେଇ ଡୋଜ୍ପିଛା ୯୩ ଟଙ୍କାରେ ଦିଆଯାଉଛି।