ନୂଆଦିଲ୍ଳୀ() ୪୧ ବର୍ଷ ବୟସରେ ମୁମ୍ବାଇର ମୈଦାନରୁ ଆଇପିଏଲରେ ପଦାର୍ପଣ କରିଥିଲେ ପ୍ରବୀଣ ତାମ୍ବେ । ଯେଉଁ ବୟସରେ କ୍ରୀଡାବିତ ମାନେ ଅବସର ଗ୍ରହଣ ନିଅନ୍ତି ସେହି ବୟସରେ ସେ ପାଦ ଥାପି ସମସ୍ତଙ୍କୁ ଚମକାଇ ଦେଇଥିଲେ ତାମ୍ବେ । ୪୧ ବର୍ଷ ବୟସରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ପାଦ ଦେଇଥିବା ତାମ୍ବେଙ୍କ ଜୀବନ କୌଣସି ସିନେମା ଠାରୁ କମ ନୁହେଁ । ତାମ୍ବେଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ କୌନ୍ ପ୍ରବୀଣ ତାମ୍ବେର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲରଟି ଅତ୍ୟନ୍ତ ରୋମାଞ୍ଚକର ରହିଥିବା ବେଳେ ଏହାର କିଛି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।
ଶ୍ରେୟସ୍ ତଲପଡେ ଏହି ଫିଲ୍ମରେ ତାମ୍ବେଙ୍କ ଚରିତ୍ରରେ ନଜର ଆସିଛନ୍ତି । ଜଣେ ଯୁବକ କିଭଳି କ୍ରିକେଟକୁ ନିଜ କ୍ୟାରିୟର କରିବାର ସ୍ୱପ୍ନ ଦେଖୁଥିବ ହେଲେ ତାର ସମସ୍ତ ଆଶା ଆଶାରେ ରହିଯାଉଛି । କିନ୍ତୁ ସେ ନିଜ ପ୍ରୟାସରୁ କେବେ ବି ବିରତ ହେଉ ନାହିଁ । ମୂଳରୁ ରଣଜୀ ଟ୍ରଫି ଖେଳିନଥିବା ଜଣେ କ୍ରିକେଟର ଉପରେ ରାହୁଲ ଦ୍ରାବିଡଙ୍କ ନଜର ପଡିବା ପରେ କିଭଳି ତାଙ୍କ କ୍ୟାରିୟର ପରିବର୍ତ୍ତନ ହୋଇଛି ତାହା ବିଷୟରେ ବର୍ଣ୍ଣନା କରାଯାଇଛି । ଏଭଳି ଏକ ବାସ୍ତବ କାହାଣୀକୁ ଟ୍ରେଲରରେ ଦେଖିବାକୁ ମିଳିଛି ।
ଫିଲ୍ମର ଟ୍ରେଲର ଆରମ୍ଭରୁ ଦ୍ରାବିଡ ଏକ ଭାଷଣରେ ତେନ୍ଦୁଲକର ବା ଲକ୍ଷ୍ମଣଙ୍କ ବିଷୟରେ ନୁହେଁ ବରଂ ତାମ୍ବେଙ୍କ ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ଶ୍ରେୟସଙ୍କ ବ୍ୟତୀତ ଆଶିଷ ବିଦ୍ୟାର୍ଥୀ ପ୍ରବୀଣଙ୍କ କୋଚ୍ ଭୂମିକାରେ ନଜର ଆସିଥିବା ବେଳେ ଅଞ୍ଜଳି ପାଟିଲ ତାମ୍ବେଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପରମବ୍ରତ ଚାଟାର୍ଜୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଜୟପ୍ରଦ ଦେଶାଇଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟିକୁ ଓଟିଟି ପ୍ଲାଟଫର୍ମ ହଟଷ୍ଟାରରେ ଏପ୍ରିଲ ୧ରେ ରିଲିଜ୍ ହେବ ।