କ୍ରୀଡ଼ା

ସୋମବାର ଦୁଇ ନୂଆ ଦଳ ମଧ୍ୟରେ ଫାଇଟ୍ : ମୁହାଁମୁହିଁ ହେବେ ଗୁଜୁରାଟ ଓ ଲକ୍ଷ୍ନୌ

ମୁମ୍ବାଇ : ଚଳିତ ସିଜନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ସୋମବାର ପରସ୍ପରକୁ ଭେଟିବେ । ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ ।
ଦୁଇ ଦଳ ନୂଆ ହୋଇଥିଲେ ହେଁ ଖେଳାଳିମାନେ ଆଇପିଏଲ୍‌ ସହ ବହୁ ପୂର୍ବରୁ ଜଡ଼ିତ । ତଥାପି ଏହି ମ୍ୟାଚ୍‌ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ନୂଆ ଉନ୍ମାଦନା ନେଇ ଆସିଛି । ଉଭୟ ଦଳ ଶ୍ରେଷ୍ଠ ଏକାଦଶ ଚୟନ କରିବା ସମ୍ଭାବନା ନାହିଁ । କାରଣ ଅଧିକାଂଶ ଖେଳାଳି ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଥିବାରୁ ଆଇପିଏଲ୍‌ରେ ଯୋଗ ଦେଇନାହାନ୍ତି ।
ସୁପରଜାଏଣ୍ଟ୍‌ସ ଦଳରେ ମାର୍କସ ଷ୍ଟଇନିସ୍‌, ଜାସନ ହୋଲ୍ଡର, କେଲି ମେୟର୍ସ ଏପର୍ଯ୍ୟନ୍ତ ଯୋଗ ଦେଇ ନାହାନ୍ତି । ମାର୍କ ଉଡ୍‌ ଆହତ ହୋଇ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଅବଶ୍ୟ ଆଣ୍ଡ୍ର‌୍ୟୁ ଟାଏଙ୍କୁ ଚୁକ୍ତି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କ କ୍ୱାରେଣ୍ଟାଇନ ଶେଷ ହୋଇ ନାହିଁ। ତଥାପି ଦଳ ଯଥେଷ୍ଟ ଶକ୍ତିଶାଳୀ । ଅଧିନାୟକ ଲୋକେଶ ରାହୁଲ, ଦୀପକ ହୁଡ଼ା, କୃନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ଅଭେଶ ଖାନଙ୍କ ଭଳି ଖେଳାଳି ରହିଛନ୍ତି ।
ଟାଇଟନ୍ସ ଦଳରେ ମଧ୍ୟ ତାରକା ଖେଳାଳି ଭରପୁର । ଜାସନ ରୟ ଓହରି ଯାଇଥିଲେ ହେଁ ଦଳ ପ୍ରଭାବିତ ହେବ ନାହିଁ । ଶୁଭମନ ଗିଲଙ୍କ ସହ ମାଥ୍ୟୁ ୱେଡ୍‌ ପାଳି ଆରମ୍ଭ କରିବେ । ରସିଦ ଖାନ, ଲୋକି ଫର୍ଗୁସନ, ମହମ୍ମଦ ସାମିଙ୍କୁ ନେଇ ଟାଇଟନ୍ସ ଦଳର ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ମଝିରେ ରାହୁଲ ତେୱାତିଆ ଓ ଆର ସାଇ କିଶୋର ସ୍ପିନ ବିଭାଗ ସମ୍ଭାଳିବେ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଉପରେ ଦଳ ନିର୍ଭର କରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com