ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ୍‌କୁ ପୁଣି ସହାୟତାର ହାତ ବଢ଼ାଇଲା ଆମେରିକା, ୩୦୦ ମିଲିୟନ୍‌ ଡଲାର ଦେବାକୁ କଲା ଘୋଷଣା

() ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ଯୁଦ୍ଧ ଆଜି ୩୮ ତମ ଦିନରେ ପହଞ୍ଚିଛି। ଏହି ୩୮ ଦିନ ମଧ୍ୟରେ ରୁଷ ୟୁକ୍ରେନ୍‌ର ଅନେକ ବଡ଼ ବଡ଼ ସହରକୁ ମାଟିରେ ମିଶାଇ ସାରିଛି। ଅଧିକାଂଶ ଲୋକ ଦେଶ ଛାଡ଼ି ପଡ଼େଶୀ ଦେଶକୁ ଚାଲିଯାଉଛନ୍ତି। ଇତି ମଧ୍ୟରେ ଖବର ଆସିଛି ଯେ ଆମେରିକାର ରକ୍ଷା ବିଭାଗ ୟୁକ୍ରେନ୍‌କୁ ସୁରକ୍ଷା ସହାୟତା ଭାବେ ଅତିରିକ୍ତ ୩୦୦ ମିଲିୟନ୍‌ ଡଲାର ପ୍ରଦାନ କରିବ। ଏଥିରେ ଲେଜର ନିର୍ଦ୍ଦେଶିତ ରକେଟ୍‌ ସିଷ୍ଟମ୍‌, ଡ୍ରୋନ୍‌ ଓ ବାଣିଜ୍ୟିକ ଉପଗ୍ରହ ଇମେଜରୀ ସେବା ବି ରହିଛି।

ସୂଚନାଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଲଗାତାର ୟୁକ୍ରେନ୍‌କୁ ସାହାଯ୍ୟ କରୁଛି। ରୁଷର ଆକ୍ରମଣାତ୍ମକ ବ୍ୟବହାର ଦେଖି ଆମେରିକା ଅନେକ ପ୍ରତିବନ୍ଧକ ବି ଲଗାଇଛି। ଏହା ପୂର୍ବରୁ ବାଇଡେନ୍‌ ସରକାର ଗତ ସପ୍ତାହରେ ୟୁକ୍ରେନ୍‌କୁ ୩୫ କୋଟି ଡଲାରର ସୈନ୍ୟ ଉପକରଣ ପ୍ରଦାନ କରିଥିଲା, ଯାହା ଆମେରିକା ଇତିହାସରେ ସବୁଠୁ ବଡ଼ ସାହାଯ୍ୟ ଥିଲା।

ଏହା ବ୍ୟତୀତ ପୋଲାଣ୍ଡର ସୀମାରେ ୟୁକ୍ରେନୀ ଶରଣାର୍ଥୀଙ୍କୁ ନେଇ ଚିନ୍ତା ବ୍ୟକ୍ତ କରି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ୍‌ କହିଥିଲେ ଯେ ଓ୍ଵାଶିଂଟନ୍‌ ମାନବୀୟ ସଙ୍କଟକୁ ଦୂର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ରୁଷ୍‌ ସୈନିକଙ୍କ ପକ୍ଷରୁ ୟୁକ୍ରେନ୍‌ରେ ଲଗାତାର ଆକ୍ରମଣ ଯୋଗୁ ଲୋକମାନେ ଅଧିକ ଭୟଭୀତ ଅଛନ୍ତି। ୟୁକ୍ରେନ୍‌ରୁ ଲୋକମାନେ ପଳାୟନ ବି କରୁଛନ୍ତି ଓ ପଡ଼େଶୀ ଦେଶରେ ଶରଣ ନେଉଛନ୍ତି ବୋଲି କହିଛନ୍ତି ବ୍ଲିଙ୍କନ୍‌।

Related Articles

Back to top button