ଓଡ଼ିଶା
ଚଳିତ ବର୍ଷ ସ୍ବାଭାବିକ ହୋଇପାରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ: ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ() ଚଳିତ ବର୍ଷ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ଭାରତରେ ସ୍ବାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ଅଛି ବୋଲି ଆଜି ଭାରତର ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗ ଉଲ୍ଲେଖ କରିଛି ଯେ, ‘ଲଙ୍ଗ୍ ପିରିୟଡ୍ ଆଭରେଜ୍’ର (ଏଲ୍ପିଏ) ୯୬%ରୁ ୧୦୪% ବୃଷ୍ଟିପାତ ହେବ। ୧୯୭୧ରୁ ୨୦୨୦ ବର୍ଷ ପର୍ଯ୍ୟନ୍ତ ସମୟଖଣ୍ଡରେ ହୋଇଥିବା ‘ଏଲ୍ପିଏ’ର ୮୭ ସେ.ମି. ବୃଷ୍ଟିପାତ ଆଧାରରେ ଉପରୋକ୍ତ ବୃଷ୍ଟିପାତ ହାର ନିର୍ଦ୍ଧାରଣ କରାଯାଇଛି।
ପୂର୍ବରୁ ପାଣିପାଗ ବିଭାଗ ୧୯୬୧-୨୦୧୦ ସମୟଖଣ୍ଡର ୮୮ ସେ.ମି. ବୃଷ୍ଟିପାତକୁ ପାଣିପାଗ ବିଭାଗ ‘ଲଙ୍ଗ୍ ପିରିୟଡ୍ ଆଭରେଜ୍’ ବୋଲି ବିବେଚନା କରୁଥିଲା।
ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, ୧୯୭୧-୨୦୨୦ ସମୟ ଅବଧି ପର୍ଯ୍ୟନ୍ତ ହୋଇଥିବା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରବାହ ସମୟରେ ସମଗ୍ର ଭାରତରେ ହାରାହାରି ୮୬୮.୬ ମିଲିମିଟର୍ ସ୍ବାଭାବିକ ବୃଷ୍ଟିପାତ ହୋଇଥିଲା। ତେଣୁ, ଉପରୋକ୍ତ ବୃଷ୍ଟିପାତ ହାର ୧୯୬୧-୨୦୧୦ ମଧ୍ୟରେ ହୋଇଥିବା ସ୍ବାଭାବିକ ବୃଷ୍ଟିପାତ ହାର ୮୮୦.୬ ମିଲିମିଟର୍ ବୃଷ୍ଟିପାତ ସ୍ଥାନକୁ ଚାଲିଆସିବ।
