ଓଡ଼ିଶା

ଅଧା ରହିଲା ଫୁଟବଲର ପ୍ରକାଶଙ୍କ ସ୍ୱପ୍ନ : ଆଣ୍ଠୁରେ ଆଘାତ ପାଇଁ ଇଟାଲିରୁ ଫେରି ଆସିଲେ ସୂତାହାଟ

କଟକ() ଜଣେ ପ୍ରସିଦ୍ଧ ଫୁଟବଲ୍‌ ତାରକା ହେବାର ସବୁତକ ଯୋଗ୍ୟତା ଓ ଦକ୍ଷତା ତାଙ୍କର ଅଛି । ଆଗଧାଡ଼ିର ଷ୍ଟ୍ରାଇକର୍‌ ହେବାର କଳା, କୌଶଳ ପ୍ରଦର୍ଶନ କରିବାରେ ସଫଳ ବି ହୋଇଛନ୍ତି । ନିଜ ଦକ୍ଷତା ବଳରେ ଭାରତର ବିଭିନ୍ନ ପ୍ରତିଷ୍ଠିତ ଫୁଟବଲ୍‌ ଏକାଡ଼େମୀରେ ବର୍ଷ ବର୍ଷ ଧରି ଖେଳିଛନ୍ତି । ଇଟାଲିରେ ବି ଖେଳିବାର ସୌଭାଗ୍ୟ ମିଳିଲା । ହେଲେ ଗୋଟେ ଛୋଟ ଦୁର୍ଘଟଣା ସବୁ ବଦଳାଇ ଦେଇଛି । ଉଦ୍ଧ୍ୱର୍ ଉଡ଼ାଣବେଳେ ସ୍ୱପ୍ନର ଡେଣା ଭାଙ୍ଗିଗଲା । ଆଣ୍ଠୁରେ ଆଘାତ ଏବେ ତାଙ୍କ ଖେଳ ଜୀବନକୁ ଶେଷ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି । ଇଟାଲିଯାଏ ଲମ୍ଫଦେବା ପରେ ଏବେ ସୂତାହାଟ ହରିଜନ ସାହିକୁ ଫେରିବାକୁ ବାଧ୍ୟ ହୋଇଛନ୍ତି ୨୧ ବର୍ଷୀୟ ପ୍ରକାଶ ନାଏକ ।

ମା’ ରଜନୀ ନାଏକ ଝାଡ଼ୁଦାର । ତାଙ୍କର ସବୁତକ ସ୍ୱପ୍ନ ଥିଲା ପୁଅକୁ ନେଇ । ପୁଅ ଦିନେ ଫୁଟବଲ୍‌ରେ ନାଁ କରିବ, ଝାଡୁଦାର ଜୀବନଟା ସୁଧୁରିଯିବ । କିନ୍ତୁ ଏବେ ଭାଗ୍ୟ ପୁଅକୁ ସେହି ସୂତାହାଟକୁ ଫେରାଇ ଆଣିଛି । ଫୁଟବଲ୍‌ ଖେଳିବାବେଳେ ଆଣ୍ଠୁ ମୋଡ଼ି ହୋଇଯିବାରୁ ପଡ଼ିଆକୁ ଓହ୍ଲାଇପାରିଲେନି । ଏବେ ଆଣ୍ଠୁରେ ଅପରେସନ୍‌ ପାଇଁ କୋଲକାତା ଯିବାକୁ ହେବ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ । ବାପାଙ୍କ ଦେହାନ୍ତ ହୋଇସାରିଛି । ମା’ ଝାଡୁଦାର ଭାବେ ଯାହା ଯେତିକି ଆୟ କରନ୍ତି ସେଥିରେ ଘର ଚଳେ । ତେଣୁ ଏଭଳି ସ୍ଥିତିରେ ଏତେ ଟଙ୍କା ଯୋଗାଡ଼ କରି ପୁଅର ଅପରେସନ୍‌ କରାଇବା ସମ୍ଭବ ନୁହେଁ । ପ୍ରକାଶ ଏବେ ଜୀବନର ଦୋଛକିରେ ଛିଡ଼ା ହୋଇଛନ୍ତି । ପୁଣି ଥରେ ଫୁଟବଲ୍‌ ପଡ଼ିଆକୁ ଓହ୍ଲାଇପାରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।

କଟକ ସୂତାହାଟ ହରିଜନ ସାହିରେ ରହୁଥିବା ପ୍ରକାଶ ଛୋଟବେଳୁ ଫୁଟବଲ୍‌ ଖେଳିଆସୁଛନ୍ତି । ପ୍ୟାରିମୋହନ ଏକାଡେମୀ ପଡ଼ିଆରେ ଫୁଟବଲ୍‌ ଖେଳି ସ୍କୁଲ୍‌ସ୍ତରରେ ସୁନାମ ଅର୍ଜନ କରିଥିଲେ । ସ୍କୁଲ୍‌ ଫୁଟବଲ୍‌ରୁ ଚୟନ ହୋଇ ସମ୍ବଲପୁର ଫୁଟବଲ୍‌ ଏକାଡେମୀରେ ରହିଥିଲେ ପ୍ରକାଶ । ପରେ ସେଠାରୁ ଟାଟା ଫୁଟବଲ୍‌ ଏକାଡେମୀ ଓ ଜାମସେଦପୁର ଫୁଟବଲ୍‌ ଏକାଡେମୀର ପ୍ରାୟ ୮ବର୍ଷ ରହି ପ୍ରଶିକ୍ଷଣ ନେଇଥିଲେ । ଜୁନିଅର୍‌ ଫୁଟବଲ୍‌ ଟିମ୍‌ରେ ଭାରତକୁ ପ୍ରତିନିଧିତ୍ୱ ଇଟାଲିରେ ଖେଳିଥିଲେ । ଇଟାଲିକୁ ଯାଇ ଖେଳିବା ପରେ ମନରେ ନୂଆ ସ୍ୱପ୍ନ ତିଆରି ହୋଇଥିଲା । ମାତ୍ର ଇଟାଲିରୁ ଫେରିବା ପରେ ଜାମସେଦପୁର ଏକାଡେମୀରେ ଖେଳିବାବେଳେ ଆଣ୍ଠୁ ସମସ୍ୟା ଦେଖାଯାଇଥିଲା । ପରବର୍ତ୍ତୀ ସମୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଗଲା ।

ଜାମସେଦପୁରରୁ କଟକ ଫେରିବା ପରେ ବିଭିନ୍ନ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଏହାର ଅସ୍ତ୍ରୋପଚାର କେବଳ କୋଲାକାତାରେ ସମ୍ଭବ ବୋଲି ଜଣାପଡ଼ିଥିଲା । କିନ୍ତୁ ଏଥିପାଇଁ ଦେଢ଼ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଯାହା ପ୍ରକାଶଙ୍କ ପକ୍ଷେ ସମ୍ଭବ ନୁହେଁ । ଏଯାଏ ତାଙ୍କୁ କୌଣସି ନିଯୁକ୍ତି ମଧ୍ୟ ମିଳିନାହିଁ । ତେଣୁ ଏଭଳି ପରିସ୍ଥିତିରେ ଭାଗ୍ୟକୁ ଆଦରି ଘରେ ବସିଛନ୍ତି ପ୍ରକାଶ । ଘରର ଆୟ ଯାହା ସେଥିରେ ପରିବାର ଚଳିବା କଷ୍ଟସାଧ୍ୟ । ତେଣୁ ଅପରେସନ୍‌ କରିବାକୁ ଏତେ ସମ୍ବଳ ଆସିବ କେଉଁଠୁ ତାକୁ ନେଇ ଚିନ୍ତାରେ ପ୍ରକାଶ । ଏନେଇ ପ୍ରକାଶ କହିଛନ୍ତି, ‘ଫୁଟବଲ୍‌ ଖେଳିବାର ଆଗ୍ରହ ମୋ ଭିତରେ ଏବେ ବି ରହିଛି । କିନ୍ତୁ ଆଣ୍ଠୁ ଯନ୍ତ୍ରଣା ମୋତେ କଷ୍ଟ ଦେଉଛି । ଯଦି ଅପରେସନ୍‌ ହୋଇପାରନ୍ତା, ନିଶ୍ଚିତ ଭାବେ ଫୁଟବଲ୍‌ ପଡ଼ିଆକୁ ପୁଣି ଥରେ ଓହ୍ଲାଇପାରନ୍ତି ।’

Related Articles

Back to top button
WP Twitter Auto Publish Powered By : XYZScripts.com