ପୁରୀ() ୨୭ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ପଦଯାତ୍ରାକୁ ବିଜେପି ସମର୍ଥନ କରୁନି ବୋଲି ଘୋଷଣା କରିଛି । ପଦଯାତ୍ରା କରୁଥିବା ସଂଗଠନ ବିଜେପିକୁ ପଦଯାତ୍ରାର ସାମିଲ ହେବା ନେଇ ଆମନ୍ତ୍ରଣ କରିନି ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।
ତେଣୁ ପଦଯାତ୍ରାରେ ଦଳ ସାମିଲ ହେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ପୃଥ୍ବୀରାଜ । ସଂଗଠନ ପକ୍ଷରୁ କାହାକୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରଣ କରାଯାଇଥାଇପାରେ । ହେଲେ ବିଜେପି ଦଳକୁ ଏହି ପଦଯାତ୍ରାରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୃଥ୍ବୀରାଜ ।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ହିଁ ପୁରୀ ବିକାଶ କାର୍ଯ୍ୟରେ ବାଧା ଉପୁଜାଇଲେ ପୁରୀବାସୀ ଏହାର ଜବାବ ଦେବେ ବୋଲି ଚେତାଇ ଦେଇଥିଲେ । ଏହା ସହ ପଦଯାତ୍ରା ନକରିବାକୁ ଅନୁରୋଧ କରାଯାଇଛି ।
ଗଜପତି ମହାରାଜ ମଧ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନକରିବାକୁ ପଦଯାତ୍ରା କରୁଥିବା ସଂଗଠନକୁ ପରାମର୍ଶ ଦେଇଛନ୍ତି । ଐତିହ୍ୟ ପ୍ରକଳ୍ପ ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ଉଦ୍ଦିଷ୍ଟ । ପ୍ରକଳ୍ପକୁ ବିରୋଧ କରିବା ଅର୍ଥ ମହାପ୍ରଭୁଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି କରିବା । ଏଥିରୁ ନିବୃତ ରହିବାକୁ ଗଜପତି ମହାରାଜଙ୍କ ସମେତ ପୁରୀବାସୀ ଓ ସେବାୟତମାନେ ଅନୁରୋଧ କରିଛନ୍ତି ।
ଏଥିସହିତ ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ସୃଷ୍ଟି କରାଗଲେ ପୁରୀବାସୀ ଓ ସେବାୟତ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ପୁରୀର ଅନେକ ସଂଗଠନ, ବୁଦ୍ଧିଜୀବୀ ଓ ଜଗନ୍ନାଥ ପ୍ରେମୀ ପ୍ରକଳ୍ପକୁ ସମର୍ଥନ କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଭଏସ ଅଫ କମନମ୍ୟାନ, ଭୂସମ୍ପତ୍ତି ସୁରକ୍ଷା ପରିଷଦ, ଶ୍ରୀକ୍ଷେତ୍ର ଆଠସାହି ଆଖଡା, ପୂଜ୍ୟପୂଜା ସଂସଦ, ଆଖଣ୍ଡଳମଣି ପରିଚାଳନା କମିଟି, ପୁରୀ ରୋଗୀ ସୁରକ୍ଷା ମଞ୍ଚ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏପରିକି ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି ତଥା ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ ମଧ୍ୟ ସ୍ମାରକପତ୍ର ପ୍ରଦାନ କରି ପ୍ରକଳ୍ପ ସାକାର ହେଉ ବୋଲି ଦର୍ଶାଇଛନ୍ତି ।
Back to top button