ଓଡ଼ିଶା

ଅଶାନ୍ତ ହେଉଛି ଅସାନି, ଆନ୍ଧ୍ରର ବିଶାଖାପାଟନମ୍‌ରେ ମାଡ଼ ହେବ: ଜେଟିଡବ୍ଳୁସି

ଭୁବନେଶ୍ୱର: ଅଶାନ୍ତ ହେଉଛି ଅସାନି । ସମୁଦ୍ରରେ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମୁହାଁଇଛି ଘୂର୍ଣ୍ଣିଝଡ । କିନ୍ତୁ ବାତ୍ୟାକୁ ନେଇ ଏବେ ଅନେକ ଦ୍ବନ୍ଦ । ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ ବୋଲି ଆଇଏମ୍‌ଡି କହିଥିବା ବେଳେ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଜେଟିଡବ୍ଳୁସି କିନ୍ତୁ ଭିନ୍ନ କଥା କହୁଛି । ଜେଟିଡବ୍ଳୁସିର ଆକଳନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରର ବିଶାଖାପାଟନମ୍‌ରେ ବାତ୍ୟା ସ୍ଥଳଭାଗ ଛୁଇଁବ । ସେପଟେ ଆଇଏମ୍‌ଡିର କହିବା କଥା ଆସନ୍ତା ୨୪ଘଣ୍ଟାରେ ଦୁର୍ବଳ ହୋଇଯିବ ବାତ୍ୟା ଅସାନି । ସନ୍ଧ୍ୟାରେ ଅସାନି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେବ। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ପୁରୀ ଠାରୁ ୫୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିବା ବେଳେ ଗୋପାଳପୁର ଠାରୁ ୪୯୦ କିମି ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ସେପଟେ ବାତ୍ୟା ସମୟରେ ଲୋକଙ୍କ ବାରଣ ଥିବା ସତ୍ତ୍ୱେ କିଛି ମତ୍ସ୍ୟଜୀବୀ ମାଛମାରିବାକୁ ଯାଉଥିବା ସୂଚନା ମିଳିବାରୁ କଡା ତାଗିଦ କରିଛନ୍ତି ଏସ୍ଆରସି ।

ଧିମେଇ ଧିମେଇ ସ୍ଥଳଭାଗ ମୁହାଁ ଘୂର୍ଣ୍ଣିଝଡ । ଉଚ୍ଚ ଜୁଆର ସାଙ୍ଗକୁ ୧୨୦ କିଲୋମିଟରେ ବେଗରେ ବହୁଛି ପବନ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦୁର୍ବଳ ହେବ । ଏବେ ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ବେଳେ ଆଜି ମଧ୍ୟରାତ୍ରୀରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ପହଞ୍ଚିବ । ପରେ ଏହା ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟା ଲ୍ୟାଣ୍ଡଫଲ ନ କଲେ ମଧ୍ୟ ଉପକୂଳ ଓଡ଼ିଶାରେ ଆଜି ରାତିରୁ ଆରମ୍ଭ ହେବ ବର୍ଷା । ବାତ୍ୟା ଅସାନି ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ୭ରୁ ୧୧ ସେମି ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୨ ତାରିଖରେ  ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୧୨ ତାରିଖ ବେଳକୁ ବାତ୍ୟା ଦୁର୍ବଳ ହୋଇ ଉପକୂଳ ଓଡ଼ିଶା ଅତିକ୍ରମ କରିବ । ଗୋପାଳପୁରର ସର୍ବନିମ୍ନ ୭୮ କିଲୋମିଟର ଏବଂ ପୁରୀଠାରୁ ୧୫୩ କିଲୋମିଟର ଦୂରରେ ସମାନ୍ତରାଳ ଭାବରେ ଉପକୂଳ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଗତି କରିବ ବାତ୍ୟା । ବାତ୍ୟା ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ ଏବଂ ଝଟକା ପବନ ୬୦ କିଲୋମିଟର ପର୍ଯ୍ୟନ୍ତ ବହିବ । ଓଡ଼ିଶା ପାଇଁ ୧୦, ୧୧ ଏବଂ ୧୨ ତାରିଖ ଅତି ଗୁରୁତ୍ବପୂର୍ଣ୍ଣ । ପବନ ଅଧିକ ନ ହେଲେ ମଧ୍ୟ ପ୍ରବଳ ବର୍ଷା ହେବ । ସମୁଦ୍ରରେ ଉଚ୍ଚ ଜୁଆର ପାଇଁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି

ସେପଟେ ୧୨ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ । ତାପମାତ୍ରା ବୃଦ୍ଧି ପାଇବ । ଅଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ୪୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ନେଇ କହିଛନ୍ତି ପାଣିପାଗ ବଶେଷଜ୍ଞ ଶରତ ସାହୁ ।

ସ୍ଥଳଭାଗରେ ବାତ୍ୟାର କୌଣସି ପ୍ରଭାବ ନ ପଡିଲେ ମଧ୍ୟ ଜଳଭାଗ ଅଶାନ୍ତ ରହିବ । ସେଥିପାଇଁ ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଥିବା ବେଳେ ପୁରୀ, ଚାନ୍ଦବାଲି/ଧାମରା ଏବଂ ପାରାଦ୍ୱୀପ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ତେବେ ଅମାନିଆ ମତ୍ସ୍ୟଜୀବୀଙ୍କ ପାଇଁ ଏସ୍ଆରସି କଡା ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ମତ୍ସ୍ୟଜୀବୀ ପ୍ରଶାସନ କଥା ନ ମାନି ସମୁଦ୍ର ମଧ୍ୟକୁ ଯାଆନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com