ଓଡ଼ିଶା

୨୦୨୨ରେ କନିକା ପାଠାଗାରକୁ ଶହେ ବର୍ଷ, ଦେଢ଼ ଲକ୍ଷ ବହି ମିଳିବ ଅନ୍‌ଲାଇନ୍‌ ଷ୍ଟୋର୍‌ରେ

କଟକ () ଓଡ଼ିଶାର ସର୍ବପୁରାତନ ତଥା ସର୍ବବୃହତ ରେଭେନ୍ସା ବିଶ୍ବବିଦ୍ୟାଳୟର କନିକା ପାଠାଗାର ଚଳିତ ବର୍ଷ ଶହେ ବର୍ଷ ପୂରଣ ହେବ। ଶହେ ବର୍ଷ ପୂର୍ତ୍ତି ଅବସରରେ ପାଠାଗାର ମରାମତି କାମ ଶେଷ‌ ହୋଇଥିବା ବେଳେ ଇ-ଲାଇବ୍ରେରି ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି ଲାଇବ୍ରେରି ନିର୍ମାଣ କାମ ଚାଲିଛି। ଶହେ ବର୍ଷ ଅବସରରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଇ-ଲାଇବ୍ରେରିକୁ ଅଧିକ ଗୁରୁତ୍ବ ଦିଆଯାଉ ଥିବା ବେଳେ ୨୦୨୨ ଶେଷ ଆଡକୁ ଏହାକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ ବୋଲି ରେଭେନ୍ସା ପକ୍ଷରୁ କୁହାଯାଇଛି।

୧୯୨୨ରେ କନିକା ମହାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଙ୍କ ଉଦ୍ୟମରେ ୯ ହଜାର ବର୍ଗଫୁଟ ଜାଗା ଉପରେ ଏହାକୁ ତିଆରି କରାଯାଇଥିଲା। ଲାଇବ୍ରେରିକୁ ଶହେ ବର୍ଷ ହେଉଥିବା ବେଳେ ଚଳିତ ବର୍ଷ କନିକା ପାଠାଗାର ନିକଟରେ ଏକ ଇ-ଲାଇବ୍ରେରି ଖୋଲାଯିବ। ଏଠାରେ ଏକା ସାଙ୍ଗରେ ୨ଶହ ଛାତ୍ରଛାତ୍ରୀ ୨ଶହ କମ୍ପ୍ୟୁଟର ମାଧ୍ୟମରେ ପଢିବାର ସୁଯୋଗ ପାଇପାରିବେ। ଏହାସହ ଇ-ଲାଇବ୍ରେରି ପାଇଁ ଦେଢ ଲକ୍ଷ ବହିକୁ ଅନ୍‌ ଲାଇନ୍‌ରେ ଷ୍ଟୋର କରାଯାଇଛି। ରେଭେନ୍ସାର ବିଭିନ୍ନ ବିଭାଗରେ ଥିବା କମ୍ପ୍ୟୁଟରରେ ଅନ୍‌ ଲାଇନ୍‌‌ ଷ୍ଟୋର ଥିବା ବହିକୁ ଛାତ୍ରଛାତ୍ରୀ ପଢିବା ସହିତ ଡାଉନ୍‌ଲୋଡ କରିପାରିବେ। ଏହାସହ ହଷ୍ଟେଲରେ ମଧ୍ୟ ଛାତ୍ରଛାତ୍ରୀ ଏହି ସୁବିଧା ସେମାନଙ୍କ ମୋବାଇଲ୍‌ରେ ପାଇପାରିବେ। ମାତ୍ର ଏଥିପାଇଁ କପିରାଇଟ୍‌ ନିୟମ ଲାଗୁ କରାଯିବ। ଗୋଟିଏ ସମୟରେ ଗୋଟିଏ ବହିକୁ ସଂପୂର୍ଣ୍ଣ ଭାବେ ଡାଉନ୍‌ଲୋଡ୍‌ କରି ହେବ ନାହିଁ। କିଛି ନିର୍ଦ୍ଧିଷ୍ଟ ପରିମାଣର ପୃଷ୍ଠା ୨୪ ଘଣ୍ଟା ମଧ୍ୟରେ ଡାଉନ୍‌ଲୋଡ୍‌ କରିହେବ। ପ୍ରତ୍ୟେକ ପିଲାଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ଆଇଡି ଦିଆଯିବ। ଏଥିରେ ସେମାନେ ରେଭେନ୍ସା ଆଇଡି ଡୋମେନ୍‌କୁ ଯାଇ ସେମାନଙ୍କ ଘରେ ମଧ୍ୟ ଇ-ବହି ପଢି ପାରିବେ ଓ ଡାଉନ୍‌ ଲୋଡ୍‌ କରିପାରିବେ। ଅନ୍ୟପଟେ ରେଭେନ୍ସାରେ ପଢୁଥିବା ୨୨୦ରୁ ଅଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପାଇଁ ବ୍ରେଲି ଲାଇବ୍ରେରିର ବ୍ୟବସ୍ଥା କରାଯାଉଛି।

ଯେଉଁଠାରେ ଦୃଷ୍ଟିଶକ୍ତି ନଥିବା ପିଲା କମ୍ପ୍ୟୁଟରରେ ଭଏସ୍‌ ମାଧ୍ୟମରେ ପାଠକୁ ଶୁଣିବେ। ସେହିପରି ଶୁଣି ପାରୁ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ପାଠାଗାରରେ ଥିବା ଶହେରୁ ୧୫୦ ବର୍ଷର ୫ଶହ ବହିକୁ ଡିଜିଟାଇଜେସନ୍ କରାଯାଇଛି। କନିକା ପାଠାଗାରରେ ଭାରତ ବର୍ଷରେ ଗୋଟିଏ କପି ଥିବା ଏକାଧିକ ବହି ରହିଛି। ଯାହାର ଡିଜିଟାଇଜେସ୍ କାମ ଶେଷ ହୋଇଛି। ଶାରାଳା ମହାଭାରତକୁ (ଡିଜିଟାଲ ହ୍ୟୁମାନିଟିଜ୍‌)ରେ ଡିଜିଟାଇଜେସନ୍‌ କାମ ଏବେ ଚାଲିଛି। ପୁରୁଣା ବହି ଗୁଡିକର ପୃଷ୍ଠାକୁ ସଂରକ୍ଷିତ ରଖିବା ପାଇଁ ଇନ୍‌ଟାକ୍‌ ସହିତ ବିଶ୍ବବିଦ୍ୟାଳୟର ବୁଝାମଣା କରାଯାଇ ସେଗୁଡିକ ଉପରେ କାମ ଆରମ୍ଭ ହୋଇଛି। କନିକା ପାଠାଗାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପାଳିନ କରିବାକୁ ରେଭେନ୍ସା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ବେଳେ ଏଥିପାଇଁ ଦିନ ଧାର୍ଯ୍ୟ କରାଯାଇ ନଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ‌କନିକା ଲାଇବ୍ରେରିକୁ ଶହେ ବର୍ଷ ପୂରଣ ହେଉଥିବା ସମୟରେ ଇ-ଲାଇବ୍ରେରିକୁ ଅଧିକ ଗୁରୁତ୍ବ ଦିଆଯାଉଛି। ପାଠାଗାରରେ ଥିବା ସମସ୍ତ ବହିକୁ ଯେପରି ଛାତ୍ରଛାତ୍ରୀ ସେମାନଙ୍କ ମୋବାଇଲ୍‌ ମାଧ୍ୟରେ ସବୁ ସ୍ଥାନରେ ପାଇ ପାରିବେ ଏହା ଉପରେ କାମ ଚାଲିଛି। ଶତବାର୍ଷିକ ପୂର୍ତ୍ତି ଅବସରରେ ଚଳିତ ବର୍ଷ ଇ-ଲାଇବ୍ରେରି, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ରେଲି ଲାଇବ୍ରେରିକୁ ଖୋଲାଯିବ ବୋଲି ପାଠାଗାର ଦାୟିତ୍ବରେ ଥିବା ଅଧିକାରୀ ପ୍ରଫେସର ଡକ୍ଟର ଲୁନା ସାମନ୍ତ ସୂଚନା ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com