ନୂଆଦିଲ୍ଲୀ: କୋଇଲା ଚୋରା ଚାଲାଣ ମାମଲାରେ ସୁପ୍ରିମକୋର୍ଟ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀ ରୁଜିରାଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ରାଜି ହୋଇଛନ୍ତି। ସେମାନଙ୍କୁ ପଶ୍ଚିମବଙ୍ଗର କୋଲକାତାରେ ପଚରାଉଚରା କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ଅନୁମତି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଓ ଗୃହ ବ୍ୟାପର ମନ୍ତ୍ରାଳୟକୁ ଏକ ନୋଟିସ୍ ଜାରି କରିଛନ୍ତି।
ପୂର୍ବରୁ ଇଡି ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରାଙ୍କ ନାମରେ ସମନ ଜାରି କରି ମାର୍ଚ ୨୨ ଓ ୨୩ ତାରିଖରେ ତା’ର ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଥିଲା। ଏ ନେଇ ଅଭିଷେକ ଓ ତାଙ୍କ ପତ୍ନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ଅଦାଲତ ତାଙ୍କୁ କୌଣସି ପ୍ରକାରର ଛାଡ଼ କରିବାକୁ ମନା କରି ଦେଇଥିଲେ। ସାଂସଦ ବାରମ୍ବାର ସେଇ ଗୋଟାଏ କଥା ଦାବି କରି ଆସୁଥିଲେ ଯେ ଇଡି ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ନୁହେଁ କୋଲକାତାରେ ପ୍ରଶ୍ନ କରୁ ବୋଲି।
ପୂର୍ବରୁ ଇଡି ପ୍ରଶ୍ନର ସାମ୍ନା କରିବାକୁ ରୁଜିରା ଦିଲ୍ଲୀରେ ଉପସ୍ଥିତ ନହେବାରୁ ତାଙ୍କ ନାମରେ ଏକ ୱାରେଣ୍ଟ ଜାରି କରାଯାଇଥିଲା। ଏବେ ଅଦାଲତ ସୁରକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଦିଲ୍ଲୀରେ ପଚରାଉଚରା କରାଯିବାର ଅନୁମତି ପ୍ରଦାନ କରିଛନ୍ତି। ଅଦାଲତ ଅଭିଷେକ ବାନାର୍ଜୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଚେତାବନୀ ଦେଇଛନ୍ତି ଯେ ପଚରାଉଚରା ସମୟରେ ସେ ଯେପରି କୌଣସି ପ୍ରକାରର ଆନ୍ଦୋଳନ କିମ୍ବା ଭଙ୍ଗାରୁଜା ନକରନ୍ତି। ଯଦି ସେପରି କିଛି ଘଟେ ତେବେ ସୁରକ୍ଷା ପ୍ରତ୍ୟାହାର କରି ନିଆଯିବ।