ଜାତୀୟ
ରାକେଶ ଟିକାୟତଙ୍କ କାଳି ମାଡ଼ ମାମଲା: କାରଣ କହିଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ?

ବେଙ୍ଗାଲୁରୁ: ଭାରତୀୟ କିଶାନ ୟୁନିୟନ ନେତା ରାକେଶ ଟିକାୟତଙ୍କ ଉପରକୁ ଶ୍ୟାହୀ ଫିଙ୍ଗା ମାମଲାର ସତ୍ୟତା ଏବେ ସାମ୍ନାକୁ ଆସିଛି। ମାମଲାରେ ଗିରଫ ଅଭିଯୁକ୍ତମାନେ ୟୁ-ଟର୍ଣ୍ଣ ନେଇଛନ୍ତି। କୃଷକ ନେତା କନ୍ନଡରେ ଭାଷଣ ନ ଦେବା ଯୋଗୁ ସେମାନେ ଶ୍ୟାହୀ ଫିଙ୍ଗିଥିବାର କହିଛନ୍ତି। ତେବେ ଅଭିଯୁକ୍ତଙ୍କ ବୟାନର ସତ୍ୟତା ଯାଞ୍ଚ କରାଯାଉଥିବା ପୋଲିସ ଗୁରୁବାର କହିଛି।
ଉଲ୍ଲେଖ ଯୋଗ୍ୟ ଯେ ଗତ ସୋମବାର ବେଙ୍ଗାଲୁରୁ ଗାନ୍ଧି ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କାଳରେ ଟିକାୟତଙ୍କ ଉପରକୁ ଶ୍ୟାହୀ ଆକ୍ରମଣ କରାଯାଇଥିଲା। ଅଭିଯୁକ୍ତମାନେ ଆକ୍ରମଣ କରିବା ବେଳେ ଓ ପୋଲିସ ସେମାନଙ୍କୁ ଗିରଫ କରି ନେଉଥିବା ବେଳେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ନେଉଥିଲେ।

ତେବେ ମାମଲାର ତଦନ୍ତକାରୀ ଅଧିକାରୀମାନେ ଏହା ସୁଚିନ୍ତିତ ଆକ୍ରମଣ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରୁଛନ୍ତି। ଏଥିରୁ ଅଭିଯୁକ୍ତଙ୍କ ବୟାନ ଭ୍ରମାତ୍ମକ ଓ ମାମଲାର ଆଗାକୁ ଯାଞ୍ଚ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ପୋଲିସ ଅଭିଯୁକ୍ତମାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଛି। ଏହି ଯାଞ୍ଚ କାଳରେ ଅଭିଯୁକ୍ତମାନଙ୍କ ପୂର୍ବ ଅପରାଧ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି। ଏଥିରୁ ଅଭିଯୁକ୍ତ ଶିବ କୁମାର ମଞ୍ଚ ଉପରକୁ ଆସି ରାକେଶ ଟିକାୟତଙ୍କ ଉପରକୁ କାଳି ମାଡ କରିବା ପରେ ମଞ୍ଚରୁ ଅନ୍ୟ କୃଷକ ନେତାଙ୍କୁ ମଧ୍ୟ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ।
ତଦନ୍ତକାଳରେ ଶିବକୁମାର ଏକ ହତ୍ୟା ମାମଲାର ଅଭିଯୁକ୍ତ ଥିବା ଓ କୋର୍ଟ ତାଙ୍କୁ ମାମଲାରେ ଆଜୀବନ କାରାଦଣ୍ଡାଦେଶ କରିଥିବାର ଜଣାପଡିଛି। ତେବେ ତାଙ୍କର ଭଲ ଆଚରଣ ଲାଗି ୨୦୧୫ ମସିହାରେ ସେ ଜେଲରୁ ମୁକ୍ତ ହୋଇଥିବା ବେଳେ ଏଭେ ଭଉଣୀଙ୍କ ସହ ମିଶି ଏକ ସଙ୍ଗଠନରେ ସକ୍ରିୟ କାର୍ଯ୍ୟ କରୁଛନ୍ତି ଓ ଅନେକ ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି। ଅନ୍ୟ ଅପରାଧ ସହ ତାଙ୍କ ସମ୍ପୃକ୍ତିର ପୋଲିସ ତଦନ୍ତ କରୁଛି।





