ଭଦ୍ରକ: ସାଙ୍ଗଙ୍କ ସହିତ ଆସିବାର ୫ ଦିନ ପରେ ବସ୍ତାରୁ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ୍ । ସାଙ୍ଗ ହିଁ ହତ୍ୟାକାରୀ ହୋଇଥିବା ଜାଣିବା ପରେ ପୋଲିସ ଅଭିଯୁକ୍ତ ସାଙ୍ଗକୁ ଗିରଫ କରି ସିନ ରିକ୍ରିଏଟ କରିଛି । ତେବେ ଅଭିଯୁକ୍ତ ମଧ୍ୟ ପୋଲିସ ବେକରେ ରଶି ଗୁଡ଼ାଇ ହତ୍ୟାକାଣ୍ଡର ଡେମୋ ଦେଖାଇଛି ।
ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନ ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କୁ ଧୂସୁରି ଥାନା ଭଣ୍ଡାରିପଡା ଗାଁର ଶୁଭେନ୍ଦୁ ପଣ୍ଡା ଘରୁ ଡାକି ଆଣିଥିଲେ । କଲିକତାରେ ଧରଣୀଧରଙ୍କର ଦୋକାନକୁ ଭଡାରେ ନେଇଥିଲେ ଶୁଭେନ୍ଦୁ । କିନ୍ତୁ ଶୁଭେନ୍ଦୁଙ୍କୁ ଆଉ ଦୋକାନ ଭଡା ଦେବା ପାଇଁ ଧରଣୀ ମନା କରିବାରୁ ସେ ସୁଚିନ୍ତିତ ଭାବେ ହତ୍ୟା କରିଥିଲା ।
ଧରଣୀଙ୍କୁ ମେ ମାସ ୨୮ ତାରିଖରେ ସେ ଘରୁ ଡାକି ଆଣିଥିଲେ । ପରେ ମଧ୍ୟ ଧରଣୀ ଦୋକାନ ଦେବାକୁ ରାଜି ନହେବାରୁ ଧୂସୁରି ଥାନା ଅଧିନ କୋଚିଳା ନଦୀ ଘାଟରେ ରଶି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା ପରେ ବସ୍ତାରେ ବାନ୍ଧି ପକାଇଦେଇଥିଲା ଶୁଭେନ୍ଦୁ । ପରେ ଗତ ୩ ତାରିଖ ଦିନ ଧରଣୀଧରଙ୍କର ଗଳିତ ମୃତଦେହ ବସ୍ତାରେ ବନ୍ଧା ଅବସ୍ଥାରେ ମିଳିଥିଲା । ପରେ ପୋଲିସ ଶୁଭେନ୍ଦୁଙ୍କୁ ଧରିଥିବା ବେଳେ ସେ ସମସ୍ତ କଥା ସ୍ଵୀକାର କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଧୂସୁରି ପୋଲିସ ସିନ ରିକ୍ରିଏସନ ବେଳେ ଶୁଭେନ୍ଦୁ ହତ୍ୟା କରିଥିବା ସ୍ଥାନକୁ ଦେଖାଇବା ସହ ହତ୍ୟା ବେଳର ଦୃଶ୍ୟକୁ ଡେମୋ କରି ଦେଖାଇଛି । ହତ୍ୟା ବେଳେ ଯେପରି ରସିରେ ତଣ୍ଟି ଚିପିଥିଲା ସେମିତି ଭାବେ ଜନୈକ ପୋଲିସ କର୍ମଚାରୀଙ୍କ ବେକରେ ରଶି ଗୁଡ଼ାଇ ଦେଖାଇଛି ।
Back to top button