ଜାତୀୟ

ବିଜେପି ଏହି ନେତାଙ୍କୁ ପ୍ରାର୍ଥୀ କଲେ ସମର୍ଥନ ଦେବେ ନବୀନ, ଏମିତି କହି ମମତାଙ୍କ ବୈଠକରୁ ଦୂରେଇ ରହିଲା ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ ହୋଇ ଯାଇଛି । ଶାସକ ଏବଂ ବିରୋଧୀ ଦଳ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ବିଚାର ବିମର୍ଶ ଚଳାଇଛନ୍ତି । ତେବେ ସମସ୍ତ ବିରୋଧୀ ଦଳକୁ ଏକଜୁଟ୍ କରି ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ କେମିତି ଟକ୍କର ଦିଆଯାଇ ପାରିବ ତାକୁ ନେଇ ଅଣ୍ଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ନେଇ ବୁଧବାର ଦିଲ୍ଲୀରେ ବୈଠକ ମଧ୍ୟ ଡକାଇଛନ୍ତି । ବୈଠକକୁ ୧୮ ଦଳକୁ ଆମନ୍ତ୍ରଣ କରାଯାଇଛି । ତେବେ ଏହା ପୂର୍ବରୁ ବିଜେଡି, ଟିଆରଏସ ଏବଂ ଆମ୍ ଆଦମୀ ପାର୍ଟି ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ଗୋଟିଏ ମଞ୍ଚରେ କଂଗ୍ରେସ ସହ ରହି ପାରିବ ନାହିଁ ବୋଲି ଟିଆରଏସ କହିଥିବା ବେଳେ ପ୍ରାର୍ଥୀ ନଦେଇ ତା ପୂର୍ବର ଏମିତି ବୈଠକ ତରବରିଆ ଭାବେ କରାଯାଉଥିବା କହିଛି ବିଜେଡି । ବିଜେଡିର ଏମିିତି ଆଭିମୁଖ୍ୟ ବିରୋଧୀ ଦଳର ଚିନ୍ତାକୁ ବଢାଇ ଦେଇଛି ।

ଓଡିଶାର ଶାସକ ଦଳ ବିଜେଡିର କହିବା କଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦେଖିବା ପରେ ହିଁ ଦଳ ନିଜର ନିଷ୍ପତ୍ତି ନେବ । ହେଲେ ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଏନଡିଏ ଯଦି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରେ ତେବେ ବିଜେଡି ସମର୍ଥନ ଦେବାକୁ ମନା କରିବ ନାହିଁ । ସେମିତିରେ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ ଏବଂ ବିଜେଡି ଏବଂ ବିଜେପି ମେଣ୍ଟ ସରକାରରେ ସେ ମନ୍ତ୍ରୀ ଥିଲେ । ଏମିତିରେ ରାଜ୍ୟ ଏବଂ ଆଦିବାସୀ ନେତା ଭାବେ ମୁର୍ମୁଙ୍କୁ ବିରୋଧ କରିବ ନାହିଁ ବିଜେଡି ।

ଯଦି ବିଜେଡି ସମର୍ଥନ ଦିଏ ତେବେ ବିଜେପିକୁ ରାଷ୍ଟ୍ରପତି ନିର୍ବାଚନ ବିଜୟ ହାସଲ କରିବା ସହଜ ହେବ । ଅତୀତର ରେକର୍ଡ ଉପରେ ଯଦି ନଜର ପକାଇବା ତେବେ ବିଜେଡି ଜାତୀୟସ୍ତରରେ ବିଜେପିର ସମର୍ଥନ କରି ଆସିଛି । ସେ ରାଷ୍ଟ୍ରପତି ନିର୍ବାଚନ ହେଉ କି ସଂସଦର ଉଭୟ ଗୃହରେ କୌଣସି ବିଧେୟକ ପାରିତ ଉପରେ ହେଉ। କେନ୍ଦ୍ରରେ ବିଜେଡି ସର୍ବଦା ବିଜେପିର ସାନ ଭାଇ ଭୂମିକା ନିଭାଇ ଆସିଛି । ପୁଣି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ତାଙ୍କର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟ କାର୍ଯ୍ୟକ୍ରମ ରହିଛି ।

ବୈଠକରେ ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଜାତୀୟ ସ୍ତରରେ ବିଜେଡିର ଗୋଟିଏ ନୀତି ସମ ଦୂରତା ବଜାୟ ରଖିବା ରହି ଆସିଛି । ଦଳ ବିଜେପି ବିରୋଧୀ କୌଣସି ମୋର୍ଚ୍ଚାରେ ସାମିଲ୍ ହୋଇ ବିଜେପିକୁ ଅସନ୍ତୁଷ୍ଟ କରିବାକୁ ଚାହିଁ ନାହିଁ । ତେଣୁ ଏଥର ବି ବିଜେଡି ବିଜେପିକୁ ସମର୍ଥନ ଦେବାର ସମ୍ଭାବନା ଅଧିକ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com