ଅନ୍ତର୍ଜାତୀୟଜାତୀୟ

ଯୁଦ୍ଧ ସରୁନି କିନ୍ତୁ ଫାଟ ବଢୁଛି : ଲଢେଇକୁ ନେଇ ୟୁକ୍ରେନ ସହଯୋଗୀ ଦୁଇ ଭାଗ

ନୂଆଦିଲ୍ଲୀ :  ରୁଷ-ୟୁକ୍ରେନ୍‌ ଯୁଦ୍ଧ ଲମ୍ବିବାରେ ଲାଗିଛି । ଏଥିରେ କେବଳ ଦୁଇଦେଶ ନୁହେଁ, ବରଂ ସମଗ୍ର ବିଶ୍ୱରେ ଏହାର ନକାରାତ୍ମକ ପ୍ରଭାବ ଅନୁଭୂତ ହେଉଛି । ବିଶେଷକରି ଖାଦ୍ୟ ମୁଦ୍ରାସ୍ଫୀତି ଉତ୍କଟ ସ୍ଥିତିରେ ପହଞ୍ଚିବାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ୩ ମାସରୁ ଅଧିକ ସମୟ ଧରି ଚାଲିଥିବା ଏ ଯୁଦ୍ଧ ଯଦି ଆହୁରି ଲମ୍ବେ, ତେବେ ଏହା ବିଶ୍ୱରେ ବିନାଶ ଆଣିବ । ଏହି ଆଶଙ୍କାରେ ଏବେ ୟୁକ୍ରେନ୍‌ର ବିଭିନ୍ନ ସହଯୋଗୀ ଦେଶ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଛି ।

ଯୁଦ୍ଧ ରୋକିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଶାନ୍ତି ଆଲୋଚନା ହେବ? ନା ରୁଷକୁ ସମ୍ପୂର୍ଣ୍ଣ ଏକଘରିକିଆ କରାଯିବ? ଏହି ଦୁଇଟି ପ୍ରଶ୍ନକୁ ନେଇ ଏବେ ଟଣାଓଟରା । ଯୁଦ୍ଧ ବନ୍ଦ କରିବା ପାଇଁ କିଏଭ କିଛିଟା କୋହଳ ମନୋଭାବ ପୋଷଣ କରିବା ଆବଶ୍ୟକ ବୋଲି କିଛି ଦେଶ କହୁଛନ୍ତି । ଯୁଦ୍ଧ ଯୋଗୁ ଅନେକ ପାଶ୍ଚାତ୍ୟ ଦେଶରେ ମୁଦ୍ରାସ୍ଫୀତି ଉପରମୁହାଁ ହେବାରେ ଲାଗିଛି । ଶକ୍ତି ମୂଲ୍ୟ ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଇଟାଲୀ ଓ ହଙ୍ଗେରି ଭଳି ଦେଶ ତୁରନ୍ତ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି ।

ସେମାନଙ୍କ ଯୁକ୍ତି ଯେ ଯଦି ତୁରନ୍ତ ଅସ୍ତ୍ରବିରତି ଆଣି ଯୁଦ୍ଧ ବନ୍ଦ କରା ନ ଯାଏ, ତେବେ ବିଶ୍ୱର ଅତି ଗରିବ ରାଷ୍ଟ୍ରଗୁଡ଼ିକରେ ଖାତ୍ୟ ନିରାପତ୍ତା ସଂକଟ ଉତ୍କଟ ହୋଇପଡ଼ିବ । ଯୁଦ୍ଧ ଯୋଗୁ ୟୁକ୍ରେନ୍‌ରେ ଅନେକ ବନ୍ଦରକୁ ରୁଷ ବନ୍ଦ କରି ରଖିଛି । ଏହା ଯୋଗୁ କୃଷି ପ୍ରଧାନ ଦେଶ ୟୁକ୍ରେନ୍‌ରୁ ବିପୁଳ ମାତ୍ରାର ଖାଦ୍ୟ ପଦାର୍ଥ ବାହାର ରାଷ୍ଟ୍ରକୁ ନ ଯାଇ ବନ୍ଦର ମାର୍ଗରେ ପଡ଼ି ନଷ୍ଟ ହେଉଛି । ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟଶସ୍ୟ ପର୍ଯ୍ୟନ୍ତ ସବୁଥିରେ ଅଭାବ ପରିଲକ୍ଷିତ ହେଲାଣି, ଯାହା ଶେଷରେ ଦରବୃଦ୍ଧିର କାରଣ ସାଜୁଛି । ତେଣୁ ବନ୍ଦରଗୁଡ଼ିକୁ ଶୀଘ୍ର ଖୋଲିଦେବା ଲାଗି ଅସ୍ତ୍ରବିରତି ଆଣିବା ଜରୁରି ହୋଇପଡ଼ିଛି ।

ଅନ୍ୟପକ୍ଷରେ ୟୁକ୍ରେନ୍‌, ପୋଲାଣ୍ଡ ଏବଂ ବଲ୍‌ଟିକ ଦେଶଗୁଡ଼ିକ ଏହାକୁ ନେଇ ଭିନ୍ନ ମତପୋଷଣ କରିଛନ୍ତି । ସେମାନେ କହିଛନ୍ତି, ରୁଷ୍‌ ଉପରେ ଆଦୌ ବିଶ୍ୱାସ କରାଯିବା ଉଚିତ ନୁହେଁ । ଯୁଦ୍ଧବିରତି ଆଣି ଆତ୍ମସମର୍ପଣ କଲେ, ଏହା ଚୁପ୍‌ ରହିବ ନାହିଁ । ବରଂ ଆହୁରି ହିଂସ୍ର ହୋଇଉଠି ବିଭିନ୍ନ ଅଞ୍ଚଳକୁ କବ୍‌ଜା କରିନେବ । ରୁଷ ଏହାର ବିସ୍ତାରବାଦୀ ଚିନ୍ତାଧାରାରୁ ବିଚ୍ୟୁତ ହେବନାହିଁ । ଆହୁରି ଭୟଙ୍କର ଆକ୍ରମଣ କରିବ ।

ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଏ ବାବଦରେ ୟୁକ୍ରେନ୍‌, ପୋଲାଣ୍ଡ ଓ ବଲ୍‌ଟିକ୍‌ ଦେଶଗୁଡ଼ିକର ଆଭିମୁଖ୍ୟକୁ ସମର୍ଥନ ଜଣାଇଛନ୍ତି । ଅଷ୍ଟିନ୍‌ କହିଛନ୍ତି, ରୁଷ୍‌କୁ ସମ୍ପୂର୍ଣ୍ଣ ଦୁର୍ବଳ କରାଯିବା ଆବଶ୍ୟକ । ଯୁଦ୍ଧ ଅପରାଧ ପାଇଁ ପୁଟିନ୍‌ଙ୍କ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ।

ସେହିଭଳି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି, ରୁଷ ସହିତ ୟୁକ୍ରେନ୍‌ କୌଣସି ପ୍ରକାର ନକାରାତ୍ମକ ଶାନ୍ତି ଚୁକ୍ତି କରିବା ଉଚିତ ନୁହେଁ । ୟୁକ୍ରେନ୍‌ ଏହି ଯୁଦ୍ଧ ଜିତିବା ନିହାତି ଜରୁରି । ଜର୍ମାନୀ ଓ ଫ୍ରାନ୍ସ ଏ ବାବଦରେ ଦ୍ୱନ୍ଦ୍ୱରେ ଥିବା ପ୍ରତୀୟମାନ ହେଉଛି । ପୁଟିନ୍‌ଙ୍କୁ ହରାଇବା ତୁଳନାରେ ତାଙ୍କୁ ଯୁଦ୍ଧ ନ ଜିତିବାକୁ ଦେବା ଭଳି ଦ୍ୱନ୍ଦ୍ୱାତ୍ମକ ଟିପ୍ପଣୀ ସେମାନେ ଦେଇଛନ୍ତି । ଅନ୍ୟପକ୍ଷରେ ରୁଷ ଉପରେ ଆହୁରି କଠୋର ଆର୍ଥିକ କଟକଣା ଲଗାଇବା ପାଇଁ ଦୁଇଦେଶ ଆହ୍ୱାନ ଦେଇଛନ୍ତି । ଏଭଳି ସ୍ଥଳେ ରୁଷ-ୟୁକ୍ରେନ୍‌ ଯୁଦ୍ଧର ଗତି କୁଆଡ଼େ ଯିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com