ଜାତୀୟରାଜନୀତି

ରାଷ୍ଟ୍ରପତି ନିର୍ବାଚନରେ କିଏ ହେବ ବିରୋଧୀ ମେଣ୍ଟରୁ ପ୍ରାଥୀ

ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ଦେଶରେ ରାଷ୍ଟ୍ରପତି ନିର୍ବାଚନ । ଏହି ନିର୍ବାଚନରେ ଶାସକ ଏନଡିଏ କାହାକୁ ପ୍ରାର୍ଥୀ କରିବ ସେନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଏବେ ବିରୋଧୀ ମେଣ୍ଟରୁ କିଏ ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧୀ ମେଣ୍ଟକୁ ଏକଜୁଟ କରିବାକୁ ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତମାସ ୧୫ ତାରିଖରେ ଦିଲ୍ଲୀରେ ଏକ ବୈଠକ କରିଥିଲେ । ବୈଠକ ପୂର୍ବରୁ କୁହାଯାଉଥିଲା କି ବିରୋଧୀ ମେଣ୍ଟ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ । ହେଲେ ବୈଠକରେ ଏହାକୁ ଖଣ୍ଡନ କରିଥିଲେ ଶରଦ ପାୱାର । ସେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହେବାକୁ ସିଧା ସଳଖ ମନା କରିଦେଇଥିଲେ । ଏହା ପରେ ଜମ୍ମୁ- କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ବିରୋଧୀମେଣ୍ଟ ପ୍ରସ୍ତାବ ଦେଇଥିଲା । ହେଲେ ସେ ବି ବିରୋଧୀଙ୍କ ଅଫରକୁ ୂଅଗ୍ରାହ୍ୟ କରିଦେଇଛନ୍ତି । ଏହି ଦୁଇ ବରିଷ୍ଠ ନେତା ବିରୋଧୀଙ୍କୁ ଝଟକା ଦେବା ପରେ ଏବେ ବିରୋଧୀ ମେଣ୍ଟ କାହାକୁ ପ୍ରାର୍ଥୀ କରିବ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଏହି କ୍ରମରେ ଏବେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । କହିରଖୁ କି ଗୋପାଳକୃଷ୍ଣ ମହାତ୍ମା ଗାନ୍ଧୀଙ୍କ ନାତୀ ଓ ସେ ଜଣେ ପୂର୍ବତନ ଆଇଏଏସ ଅଧିକାରୀ । ସେପଟେ ଗୋପାଳକୃଷ୍ଣ ଗାନ୍ଧୀ ୨୦୧୯ ଉପରାଷ୍ଟ୍ରପତି ନିର୍ବାଚନରେ ଭେଙ୍କେୟା ନାଇଡୁଙ୍କ ବିରୋଧରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । କେବଳ ଗୋପାଳକୃଷ୍ଣ ଗାନ୍ଧୀ ନୁହଁନ୍ତି ତାଙ୍କ ସହ ଯଶବନ୍ତ ସିହ୍ନାଙ୍କ ନାମ ବି ଏହି ତାଲିକାରେ ରହିଛି । ଏନଡିଏ ସରକାରରେ କେନ୍ଦ୍ରମନ୍ତ୍ରୀ ଥିବା ପୂର୍ବତନ ବିଜେପି ନେତା ଯଶବନ୍ତ ସିହ୍ନା ପଶ୍ଚିମବଙ୍ଗ ନିର୍ବାଚନ ବେଳେ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ସେପଟେ ଦେଶର ଦକ୍ଷୀଣାଞ୍ଚଳରେ ଶାସନ କରୁଥିବା କିଛି ଆଞ୍ଚଳିକ ଦଳମାନଙ୍କୁ ସନ୍ତୁଷ୍ଟ କରିବାକୁ ବିରୋଧୀ ମେଣ୍ଟ କେରଳରୁ ସାଂସଦ ଥିବା ଏନକେ ପ୍ରେମଚନ୍ଦ୍ରନକୁ ବି ପ୍ରାର୍ଥୀ କରିପାରେ ବୋଲି ଅନୁମାନ କରାଯାଉଛି । କାରଣ ଜୁନ ୧୫ ତାରିଖରେ ମମତା ଡାକିଥିବା ବୈଠକକୁ ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଯୋଗ ଦେଇ ନଥିଲେ । ଏମାନଙ୍କୁ ସନ୍ତୁଷ୍ଟ କରିବାକୁ କେରଳ ସାଂସଦ ଏନକେ ପ୍ରେମଚନ୍ଦ୍ରନଙ୍କୁ ପ୍ରାର୍ଥୀ କରାଯାଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com