ଓଡ଼ିଶା

ପରୀକ୍ଷା ମଝିରେ ଏକାଧିକ ଅଧ୍ୟାପକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର/କଟକ: କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଏକାଧିକ ଅଧ୍ୟାପକ କରୋନା ପଜିଟିଭ ବାହାରିବା ପରେ ପରୀକ୍ଷା ବର୍ଜନ କରିଛନ୍ତି ଛାତ୍ରଛାତ୍ରୀ। ଆଜି ୫ମ ତଥା ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଲେବର ଲ’ ପେପର ପରୀକ୍ଷା ଥିଲା। ପୂର୍ବାହ୍ନ ସାଢେ ୧୦ ଟାରୁ ସାଢେ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ତେବେ ଏକାଧିକ ଅଧ୍ୟାପକ କରୋନା ପଜିଟିଭ ବାହାରିବା ଜଣାପଡିବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅନ୍ୟତ୍ର ପରୀକ୍ଷା କରାଇବା କିମ୍ବା ଅନଲାଇନ ପରୀକ୍ଷା କରିବା ପାଇଁ ଦାବି ହୋଇଥିଲା।

ଏହା ସହ ଛାତ୍ରଛାତ୍ରୀମାନ ପରୀକ୍ଷା ବର୍ଜନ କରିଥିଲେ। ଫଳରେ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ କିଛି ପରୀକ୍ଷା ନିରୀକ୍ଷକ ପଜିଟିଭ ଚିହ୍ନଟ ହୋଇଥିଲେ। ଗତକାଲି ଆଉ ତିନି ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେବେ ଏହି ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ହେଲେ ତରବରିଆ ଭାବେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ସାଇଟାଇଜ୍ କରାଯାଇଛି।

ଏପଟେ ଆଜି ରାଜ୍ୟରେ ୪ଶହ ଉପରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲୋକାଲ କେସ୍-୧୭୭ ଓ କ୍ୱାରେଣ୍ଟିନରୁ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍ ବର୍ଗର ୫୬ ଜଣ ଆକ୍ରାନ୍ତ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୩ ଜଣ, କଟକରୁ ୮୮ ଜଣ ସଂକ୍ରମିତ ଚିହ୍ନଟ  ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୯୪୬କୁ ବୃଦ୍ଧି ପାଇଛି। ସେପଟେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୯୩୦ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେତେବେଳେ କି ୩୫ଜଣଙ୍କ ମୃତ୍ୟୁ ହୋଇଛି।

ରାଜଧାନୀ ଭୁବନେଶ୍ୱରରେ କରୋନା କାୟା ମେଲାଉଥିବାରୁ କ୍ୟାପିଟାଲ ହସ୍ପିଟାଲରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ମୋବାଇଲ ଟେଷ୍ଟିଂ କାଉଣ୍ଟର। ଦୀର୍ଘଦିନ ପରେ ପୁଣି କାର୍ଯ୍ୟକ୍ଷମ ହେବାକୁ ଯାଉଛି ଟେଷ୍ଟିଂ କେନ୍ଦ୍ର। ଏଥିପାଇଁ ଏକ ସ୍ୱତନ୍ତ୍ର ଭ୍ୟାନ ନିର୍ମାଣ ହୋଇଛି। ହସ୍ପିଟାଲରେ ପ୍ରତ୍ୟକ ଦିନ ହେଉଥିବା ଭିଡ଼ ଓ ସଂକ୍ରମଣକୁ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି। ପ୍ରତ୍ୟହ ୫୦୦ରୁ ଅଧିକ ଲୋକ ଏଠାରେ ଟେଷ୍ଟିଂ କରିପାରିବାର ସୁବିଧା ପାଇବେ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଭାରତରେ ଠାବ ହୋଇଛି କରୋନାର ନୂଆ ଭାରିଆଣ୍ଟ। ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ ହୋଇଥିବା ସୂଚନା ଦେଇଛି WHO। ଭାରତ ସହ ୧୦ଟି ଦେଶରେ ଏହି ନୂଆ ଭାରିଆଣ୍ଟ ଠାବ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ନୂଆ ଭାରିଆଣ୍ଟର ନାଁ ରହିଛି BA. 2.75। ଏହି ଭାରିଆଣ୍ଟ ପ୍ରଥମେ ଭାରତରେ ଠାବ ହୋଇଥିଲା। ପରେ ଏହା ୧୦ଟି ଦେଶକୁ ବ୍ୟାପିଛି। ଏହି ଭାରିଆଣ୍ଟ କେତେ ସଂକ୍ରାମକ ଓ ଘାତକ ସେ ନେଇ ଗବେଷଣା ଚାଲିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com