ଓଡ଼ିଶା

ଓଡ଼ିଶାରେ ଖୁବ୍ ଶିଘ୍ର ଦିଆଯିବ ନବ ଦମ୍ପତି କିଟ୍‌

ଭୁବନେଶ୍ୱର ; ୧୩/୦୯   ଆସନ୍ତା ନଭେମ୍ବରରେ ନବ ବିବାହିତଙ୍କୁ ଦିଆଯିବ ନବ ଦମ୍ପତି କିଟ୍‌ । ସ୍ୱାସ୍ଥ୍ୟ ବିଭାଗ ନବ ଦମ୍ପତିଙ୍କୁ ଉପହାର ଆକାରରେ ଏହା ପ୍ରଦାନ କରିବ । ନବ ଦମ୍ପତି କିଟ୍‌ ଯୋଗାଇବା ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ କିଟ୍‌ ଯୋଗାଇବାକୁ ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଏଥିପାଇଁ ୭କୋଟି ଟଙ୍କା ଖର୍ଚ୍ଚ କରିବ । ଅଧିକ କିଟ୍‌ ଆବଶ୍ୟକ ପଡ଼ିଲେ ମଧ୍ୟ ନିର୍ଦ୍ଦେଶାଳୟ ବ୍ୟବସ୍ଥା କରିବ । ଓଡ଼ିଶା ପ୍ରଥମ ଥର ପାଇଁ ‘ନବ ଦମ୍ପତି କିଟ୍‌’ ପ୍ରଦାନ କରିବ । ଯେହେତୁ ରାଜ୍ୟରେ ନଭେମ୍ବର ମାସରେ ବାହାଘର ତିଥି ଆରମ୍ଭ ହେଉଛି । ଏହି ବାହାଘର ଭୋଜି ସମୟରେ ଦମ୍ପତିକୁ ଏହି କିଟ୍‌ ପ୍ରଦାନ କରାଯିବ । ସ୍ଥାନୀୟ ଆଶାକର୍ମୀ ବାହାଘରରେ ପହଞ୍ଚି ଦମ୍ପତିଙ୍କୁ ଉପହାର ଦେବେ । ଏହାବ୍ୟତୀତ ଆଶା ଦମ୍ପତିଙ୍କୁ ଉପହାର ପ୍ରଦାନ କରୁଛନ୍ତି ବୋଲି ଏହାର ପ୍ରମାଣ ପାଇଁ ଦମ୍ପତିଙ୍କ ସହିତ ସେଲ୍ଫି ନେବେ । ଆଉ ଏକ ଫର୍ମରେ ଦମ୍ପତିଙ୍କ ସ୍ୱାକ୍ଷର ନେବେ । ସ୍ୱାସ୍ଥ୍ୟ ବିଭାଗ ଆଶାଙ୍କୁ ଏହି ଉପହାର ପ୍ରଦାନ ପାଇଁ ପାରିଶ୍ରମିକ ବାବଦକୁ ୧୦୦ ଟଙ୍କା ପ୍ରଦାନ କରିବେ। ହେଲେ ଦମ୍ପତିଙ୍କୁ ଏହି କିଟ୍‌ ସମ୍ପୂର୍ଣ୍ଣ ମାଗଣା ଦିଆଯିବ । ନବଦମ୍ପତିମାନେ ପ୍ରଥମ ସନ୍ତାନ ଓ ଦ୍ୱିତୀୟ ସନ୍ତାନ ଲାଗି ଅତିକମରେ ୩ ବର୍ଷର ବ୍ୟବଧାନ ରଖନ୍ତୁ । ଏହାକୁ ଆଖି ଆଗରେ ରଖି ଏହି ଗିଫ୍ଟରେ କିଛି ପରିବାର କଲ୍ୟାଣ ପୁସ୍ତିକା, ନେଲ୍‌ କଟର, ଆଇନା, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ପିଲ୍‌ସ, ପ୍ରେଗନାନ୍ସି ଟେଷ୍ଟିଂ କିଟ୍‌ ଓ ବିବାହ ପଞ୍ଜୀକରଣ ଫର୍ମ ଇତ୍ୟାଦି ନବଦମ୍ପତିଙ୍କୁ ପ୍ରଦାନ କରାଯିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com