ଆମଷ୍ଟେଲଭିନ: ମହିଳା ହକି ବିଶ୍ୱକପ୍ର ଚତୁର୍ଥ କ୍ରସ୍ ଓଭର ମ୍ୟାଚ୍ରେ ରବିବାର ଭାରତ ଓ ସ୍ପେନ ମୁହାଁମୁହିଁ ହେବେ । ଭାରତ ବିଜୟୀ ହେଲେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରିବ । ଏହି ମ୍ୟାଚ୍ ସ୍ପେନର ତେରାସାରେ ଖେଳାଯିବ ।
ଭାରତ ଆୟୋଜକ ସ୍ପେନକୁ ତା’ର ଘରୋଇ ଗ୍ରାଉଣ୍ଡରେ ଭେଟିବ । ପୁଲ୍ ପର୍ଯ୍ୟାୟରେ ସ୍ପେନ ସମସ୍ତ ମ୍ୟାଚ୍ ନିଜ ଘରୋଇ ଭେନ୍ୟୁରେ ଖେଳିଥିଲା । ୩ଟି ମ୍ୟାଚ୍ ଖେଳି କେବଳ ଗୋଟିଏ ମ୍ୟାଚ୍ରେ ଆର୍ଜେଣ୍ଟିନା ନିକଟରୁ ପରାଜିତ ହୋଇଥିଲା। ଦକ୍ଷିଣ କୋରିଆ ଓ କାନାଡ଼ା ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିଲା । ଉଭୟ ମ୍ୟାଚ୍ରେ ୪ଟି ଲେଖାଏଁ ଗୋଲ୍ ସ୍କୋର କରିଥିଲା । ଶକ୍ତିଶାଳୀ ଆର୍ଜେଣ୍ଟିନାଠୁ ପରାଜିତ ହୋଇଥିଲେ ବି ଦଳ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା ।
କିନ୍ତୁ ଭାରତ ପୁଲ୍ ପର୍ଯ୍ୟାୟରେ ସେମିତି ଭଲ ପ୍ରଦର୍ଶନ କରିପାରି ନଥିଲା । ଚୀନ ଏବଂ ଇଂଲଣ୍ଡକୁ ହରାଇ ପାରିଥିଲେ ସିଧାସଳଖ କ୍ୱାର୍ଟରରେ ପ୍ରବେଶ କରିପାରିଥାନ୍ତା । ମାତ୍ର ଉଭୟ ମ୍ୟାଚ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ମ୍ୟାଚ୍ ଅମୀମାଂସିତ ରଖିଥିଲା । ଯଦିଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ କରିଥିଲା, କିନ୍ତୁ ଶେଷରେ ୩-୪ ଗୋଲରେ ପରାସ୍ତ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ସ୍ପେନକୁ ନିୟନ୍ତ୍ରଣ କରିବା ଭାରତ ପାଇଁ ଏତେ ସହଜ ହେବ ନାହିଁ । ତଥାପି ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେଇ କ୍ୱାର୍ଟରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।
ଭାରତୀୟ ଦଳର ଉପ ଅଧିନାୟିକା ଦୀପଗ୍ରେସ ଏକ୍କା କହିଛନ୍ତି, ଗତ ପୁଲ୍ ପର୍ଯ୍ୟାୟରେ ଆମେ ସେମିତି ଭଲ ପ୍ରଦର୍ଶନ କରିପାରି ନାହୁଁ । ଯଦିଓ ଶେଷ ମ୍ୟାଚ୍ରେ (ନ୍ୟୁଜିଲାଣ୍ଡ) ବହୁ ସୁଯୋଗ ସୃଷ୍ଟି କରିଥିଲୁ କିନ୍ତୁ ତାହାକୁ ଗୋଲରୂପ ଦେବାରେ ବିଫଳ ହୋଇଥିଲୁ । କିନ୍ତୁ ଆମେ ପୂର୍ବ ତ୍ରୁଟିରେ ସୁଧାର ଆଣି ସ୍ପେନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛୁ ।’ ଶେଷ ଥର ଭାରତ ଓ ସ୍ପେନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ମୁହାଁମୁହିଁ ହୋଇଥିଲେ । ଭାରତ ପ୍ରଥମ ମ୍ୟାଚ୍ରେ ୨-୧ରେ ଜିତିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ସ୍ପେନ ପ୍ରତ୍ୟାବର୍ତ୍ତନ କରି ୪-୩ରେ ବିଜୟୀ ହୋଇଥିଲା ।