ଓଡ଼ିଶା

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ : ୫ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଝୁମ୍ପାଣ ଗ୍ରାମରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ପୋଲିସ ପୀଡିତା ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରି ଘଟଣାର ଅନୁସନ୍ଧାନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ମାମୁଁ ପୁଅ ଭାଇକୁ ଭଲ ପାଇ ତାଙ୍କ ସହ ଘରୁ ଚାଲି ଆସିଥିଲେ । ଉଭୟେ ଯାଜପୁର ଜିଲ୍ଲା କାଳିଆପାଣି ଖଣି ଅଞ୍ଚଳରେ ରହୁଥିବା ନାବାଳିକାଙ୍କ ଭଉଣୀ ଘରକୁ ଯାଉଥିଲେ । ଗତ ରବିବାର ଦିନ ଅପରାହ୍ନରେ ଏମାନେ ଡ଼ୁବୁରୀ ଛକରେ ପହଞ୍ଚିଥିଲେ । ସେଠାରୁ କାଳିଆପାଣି ଯିବାକୁ କୌଣସି ଗାଡ଼ି ନମିଳିବାରୁ ଉଭୟେ ଚାଲି ଚାଲି ଯାଉଥିଲେ। କିଛି ବାଟ ଯିବା ପରେ ଝୁମ୍ପାଣ ନିକଟରେ ଅନ୍ଧାର ହୋଇଥିବାରୁ ରାସ୍ତା କଡ଼ରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ବସିଥିଲେ ।

ଏହି ସମୟରେ ୫ଜଣ ଲୋକେ ସେମାନଙ୍କୁ ଦେଖି ପଚରାଉଚରା କରିବା ସହ ପ୍ରଥମେ ନିକଟରେ ଥିବା ଏକ ମନ୍ଦିରରେ ଆଶ୍ରୟ ନେବାକୁ କହିଥିଲେ ।  ପରେ ମନ୍ଦିରରେ ନରହି ଝୁମ୍ପାଣ ପ୍ରାଥମିକ ବିଦ୍ୟାଳୟରେ ରାତି ବିତାଇବାକୁ ଉଭୟଙ୍କୁ କହିଥିଲେ। ତେବେ ସେହି ଲୋକଙ୍କ କଥା ମାନି ଉଭୟେ ସମ୍ପର୍କୀୟ ଭାଇ-ଭଉଣୀ ବିଦ୍ୟାଳୟରେ ଆଶ୍ରୟ ନେଇଥିଲେ । ତେବେ ବିଳମ୍ବିତ ରାତିରେ ସେହି ୫ ଜଣ ଆସି ନାବାଳକ ଭାଇକୁ ମାଡ ମାରି ସେଠାରୁ ତଡ଼ି ଦେବା ସହ ନାବାଳିକା ଭଉଣୀକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳକ ଭାଇ ଦୌଡି ଯାଇ ଗାଁ ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ।

ସେପଟେ ଜଣେ ଦୁଷ୍କର୍ମ କରିବା ପରେ ଜୀବନ ବଞ୍ଚାଇ ନାବାଳିକା ଜଣକ ଛାତରୁ ତଳକୁ ଡେଇଁ ସେଠାରୁ ଖସି ପଳାଇଥିଲେ। ପରେ ଗାଁ ଲୋକେ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ନାବାଳକ ଭାଇକୁ ନିଜ ହେପାଜତରେ ରଖିଛି ।

ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ଛାନଭିନ୍ କରି ପରେ ସେମାନଙ୍କୁ ଗିରଫ କରିଛି । ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ। ବର୍ତ୍ତମାନ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବାବେଳେ ସୋମବାର ଉଭୟ ନାବାଳକ ଓ ନାବାଳିକାଙ୍କ ପରିବାର ଲୋକଙ୍କୁ ପୋଲିସ ଥାନାକୁ ଡ଼କାଇ ପଚରାଉଚରା କରିଛି । ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ଏହି ୟୁନିଟ୍ ପକ୍ଷରୁ ସୋମବାର ରାତିରେ କଳିଙ୍ଗନଗର ଥାନାରେ ଏତଲା ଦିଆଯାଇଛି ।  ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com