ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ନିକଟରେ ଥିବା ଘୋଡାହଡ ଡ୍ୟାମରୁ ନଦୀ ଯୋଗେ ଜଳ ନିଷ୍କାସନ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି ନେଇ ଗୁରୁବାର ଦିନ ଶୀର୍ଷକ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା । ଖବରନୁଯାୟୀ , ଘୋଡାହଡ ଜଳଭଣ୍ଡାର ଉପରେ ଦିଗପହଣ୍ଡି ଅଞ୍ଚଳର ୨୧ ଗୋଟି ପାଣି ପଞ୍ଚାୟତର ବହୁ ଚାଷୀ ଚାଷକାର୍ଯ୍ୟ ନିମନ୍ତେ ନିର୍ଭରଶୀଳ ରହି ଆସୁଛନ୍ତି । ବିଶେଷ କରି ଘୋଡାହଡ ତଳମୁଣ୍ଡରେ ଥିବା ୭୮୫୮ ହେକ୍ଟର ଚାଷଜମିରେ ଖରିଫ ଚାଷ ନିମନ୍ତେ ଏହି ଜଳଭଣ୍ଡାରରୁ ଜଳସେଚିତ କରାଯାଉଥିବା ବେଳେ ଚାଷୀମାନେ ଉପକୃତ ହୋଇଥାନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୁଲାଇ ୨୫ ତାରିଖ ଠାରୁ କେନାଲ ଯୋଗେ ଜଳଭଣ୍ଡାରରୁ ଚାଷକାର୍ଯ୍ୟ ନିମନ୍ତେ ପାଣି ଛଡାଯାଇଥିଲା । ତେବେ ଗତକାଲି ଚିଠି ନଂ ୨୨୪୬ ରେ ପ୍ରକାଶ ହୋଇଥିଲା ଯେ , ଘୋଡାହଡ ଡ୍ୟାମରୁ ଜଳ ନଦୀ ମାଧ୍ୟମରେ ନିଷ୍କାସନ କରାଯାଇ ହିଞ୍ଜିଳିକାଟୁ ସ୍ଥିତ ଜୟ ମଙ୍ଗଳା ସେବା ଅଞ୍ଚଳକୁ ଜଳସେଚିତ କରିବା ପାଇଁ ନିଷ୍ପତ୍ତି ଧାର୍ଯ୍ୟ ହୋଇଥିଲା । ତେବେ ଚଳିତ ବର୍ଷ ଘୋଡାହଡ ଉପରମୁଣ୍ଡରେ ବର୍ଷାର ଅଭାବ ଯୋଗୁଁ ବର୍ତ୍ତମାନ ଜଳସ୍ତର କମ ରହିଛି । ଏଭଳି ପରିସ୍ଥିତିରେ ଜଳଭଣ୍ଡାରରୁ ଜଳ ନଦୀ ଯୋଗେ ଛଡାଯାଏ ତେବେ ଆଗାମୀ ଦିନରେ ତଳମୁଣ୍ଡରେ ରହିଥିବା ସମସ୍ତ ଚାଷଜମି ଜଳସେଚନ ଅଭାବରୁ ମରୁଡି ପ୍ରଭାବିତ ହେବାର ଆଶଙ୍କା ରହିଅଛି । ଯାହାଫଳରେ ଆଜି ଘୋଡାହଡ ଶୀର୍ଷକ କମିଟି ପକ୍ଷରୁ ୨୧ ଗୋଟି ପାଣି ପଞ୍ଚାୟତର ସମସ୍ତ କର୍ମଚାରୀ ଆୟୋଜିତ ବୈଠକରେ ଏହାକୁ ବିରୋଧ କରିବା ସହ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି କର୍ମକର୍ତ୍ତା ମାନେ ବ୍ରହ୍ମପୁର ଆର୍ . ଭି . ଏନ୍ ଅତିରିକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଏହାର ସମାଧାନ କିମ୍ବା କୈାଣସି ପଦକ୍ଷେପ ଗ୍ରହଣ ନ କରାଯାଏ ତେବେ ସମସ୍ତ କର୍ମକର୍ତ୍ତା କାର୍ଯ୍ଯରୁ ଇସ୍ତଫା ଦେବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ପାଣି ପଞ୍ଚାୟତ ଦିଗପହଣ୍ଡି ଘୋଡାହଡ ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ଏ . ଗୋପାଳ ରାଓ , ସହକାରୀ ଯନ୍ତ୍ରୀ ଇଂ . ସୁଶାନ୍ତ ମହାପାତ୍ର , ଶୀର୍ଷକ କମିଟି ସଭାପତି ରମେଶ ଚନ୍ଦ୍ର ପାତ୍ର , ଉପସଭାପତି କିର୍ତ୍ତୀଚନ୍ଦ୍ର ଗୈାଡ , କୋଷାଧକ୍ଷ ରାମନାଥ ବିଷୋୟୀ , ପୂର୍ବତନ ଶୀର୍ଷକ କମିଟି ସଭାପତି ତଥା ଉପଦେଷ୍ଟା ବିଦ୍ୟାଧର ମହାପାତ୍ର କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଏମ୍ . ସହଦେବ ରେଡ୍ଡୀ , ବିଭୂତି ଭୂଷଣ ମହାପାତ୍ର , ଲୁଲୁ ସର୍ଦ୍ଦାର , ବିପ୍ର ପ୍ରଧାନ , ଦିଲିପ ପ୍ରଧାନ , କିଶୋର ଜେନା , ମୁରଲୀ ପାତ୍ର , ସିମାଞ୍ଚଳ କର , ଏମ୍ . ଦଣ୍ଡପାଣି , ରାଜେନ୍ଦ୍ର ଦୋରା , ସୁକଦେବ ପ୍ରଧାନ , ତ୍ରିପତୀ ଦୋରା , ବି. ଲାଛେୟା ସମେତ ୨୧ ଗୋଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଓ ଚାଷୀ ଉପସ୍ଥିତ ରହିଥିଲେ ।