ଅନ୍ତର୍ଜାତୀୟ

ଚୀନ ଗୁପ୍ତଚର ଜାହାଜକୁ ଶ୍ରୀଲଙ୍କାର ଅନୁମତି

ଭାରତର ଆପତ୍ତି ସତ୍ତ୍ବେ ଚୀନର ବିବାଦୀୟ ଜାହାଜ ଉଆନ ଉଆଙ୍ଗ-୫କୁ ହାମ୍ବନଟୋଟା ବନ୍ଦରରେ ପ୍ରବେଶ ଅନୁମତି ଦେଇଛନ୍ତି ଶ୍ରୀଲଙ୍କା ସରକାର । ଏହା ଫଳରେ ଆସନ୍ତା ୧୬ ତାରିଖରେ ଏହି ଜାହାଜ ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ ଓ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ।ଚୀନ ଏହାକୁ ଏକ ଗବେଷଣା ଜାହାଜ କହୁଥିବାବେଳେ ଭାରତ ଏହାକୁ ଏକ ଗୁପ୍ତଚର ଜାହାଜ ରୂପେ ଦେଖୁଛି, ଯାହାକି ଭାରତର ବିଭିନ୍ନ ସାମରିକ ଓ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ନଜର ରଖିବାକୁ ଆସୁଛି । ଶୁକ୍ରବାର ରାତିରେ ଏହି ଜାହାଜ ଶ୍ରୀଲଙ୍କା ଉପକୂଳଠାରୁ ୧୦୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଥିଲା । ଏହା ଧୀରେ ଧୀରେ ଉପକୂଳ ଆଡ଼କୁ ଗତି କରୁଛି । ଶ୍ରୀଲଙ୍କାର ବନ୍ଦର ମନ୍ତ୍ରୀ ନିର୍ମଳ ପି ସିଲଭା କହିଛନ୍ତି ଯେ ଏହି ଜାହାଜକୁ ପ୍ରବେଶ ଅନୁମତି ପାଇଁ ବୈଦେଶିକ ମନ୍ତ୍ରା​ଳୟ ସବୁଜ ସଂକେତ ଦେଇଛି । ଏହା ଏକ ମିସାଇଲ ଟ୍ରାକିଂ ସିପ୍ ହୋଇଥିବାରୁ ଏହାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଥିଲା । ଶ୍ରୀଲଙ୍କା ବନ୍ଦରରେ ଥାଇ ଏହି ଜାହାଜ ସମଗ୍ର ଦକ୍ଷିଣ ଭାରତ ଉପରେ ନିଜର ରଖିପାରିବ ।  ଭାରତ ପକ୍ଷରୁ ଏହି ଚିନ୍ତା ଶ୍ରୀଲଙ୍କାକୁ ଜଣାଇଦିଆଯିବା ପରେ ଏହି ଜାହଜର ଆଗମନକୁ ବିଳମ୍ବିତ କରିବାକୁ କଲମ୍ବୋ ଚୀନକୁ କହିଥିଲା । ପୂର୍ବରୁ ଏହା ୧୧ ଅଗଷ୍ଟରେ ଆସିବାକୁ ଥିବାବେଳେ ଏବେ ପ୍ରାୟ ୫ ଦିନ ବିଳମ୍ବରେ ୧୬ ତାରିଖରେ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ପ୍ରବେଶ କରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com