ସଂସଦର ଆଗାମୀ ଶୀତ ଅଧିବେଶନରେ କେନ୍ଦ୍ର ସରକାର ଅନ୍ତଃ ରାଜ୍ୟ ନଦୀ ଜଳ ବିବାଦର ବିଚାର ବ୍ୟବସ୍ଥାକୁ ସରଳ ଓ ସୁସଙ୍ଗତ କରିବା ପାଇଁ ଏକ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ କରିବେ। ୨୦୧୯ ଜୁଲାଇ ୩୧ରେ ଅନ୍ତଃ ରାଜ୍ୟ ନଦୀଜଳ ବିବାଦ ବା ଏକକ ନଦୀ ଜଳ ଟ୍ରିବ୍ୟୁନାଲ ବିଲ-୨୦୧୯ ପାରିତ ହୋଇସାରିଛି। ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ପରେ ମହାନଦୀ ଜଳ ବିବାଦ ସମେତ ଦେଶରେ ସକ୍ରିୟ ଥିବା ଅନ୍ୟ ଟ୍ରିବ୍ୟୁନାଲଗୁଡ଼ିକ ଉଚ୍ଛେଦ ହେବ।
୧୯୮୬ରେ ଗଠନ କରାଯାଇଥିବା ରାବି ଏବଂ ବ୍ୟାସ ଜଳବିବାଦ ଟ୍ରିବ୍ୟୁନାଲ, ୨୦୦୪ରେ ଗଠନ କରାଯାଇଥିବା କ୍ରିଷ୍ଣା ଜଳ ବିବାଦ ଟ୍ରିବ୍ୟୁନାଲ, ୨୦୧୦ରେ ଗଠନ କରାଯାଇଥିବା ମହାଦୟୀ ଜଳ ବିବାଦ ଟ୍ରିବ୍ୟୁନାଲ ଓ ୨୦୧୮ରେ ଗଠନ କରାଯାଇଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ବର୍ତ୍ତମାନ ସକ୍ରିୟ ରହିଛି। ୨୦୧୦ରେ ଗଠନ କରାଯାଇଥିବା ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ରିପୋର୍ଟ ଦାଖଲ ହେବା ପରେ ଚଳିତ ବର୍ଷ ମାର୍ଚରେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲକୁ ଭଙ୍ଗ କରିଛନ୍ତି। ଦେଶରେ ନଦୀ ଜଳ ବିବାଦ ସମାଧାନ ପାଇଁ ଗଠନ କରାଯାଇଥିବା ଟ୍ରିବ୍ୟୁନାଲଗୁଡ଼ିକ ଅନେକ ବର୍ଷ ଧରି ନଦୀ ଜଳ ବିବାଦର ସମାଧାନ କରିପାରୁ ନାହାନ୍ତି। ଏହି ସବୁ ବିବାଦର ସମାଧାନ ଗୋଟିଏ ବ୍ୟବସ୍ଥାରେ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ଜୁଲାଇ ୨୦୧୯ରେ ଏକକ ନଦୀଜଳ ଟ୍ରିବ୍ୟୁନାଲ (ସଂଶୋଧନ ବିଲ୍) ଅଣାଯାଇଥିଲା। ତେବେ ବିଲ୍ଟି ବର୍ତ୍ତମାନ ସୁଦ୍ଧା ରାଜ୍ୟସଭାରେ ଆଗତ ହୋଇ ନାହିଁ।
ବିଲ୍ଟି ଲୋକସଭାରେ ପାରିତ ହୋଇସାରିଥିଲେ ବି ଏଥିରେ କିଛି ତ୍ରୁଟି ରହିଯାଇଛି। ତାକୁ ସଂଶୋଧନ କରିବା ପାଇଁ କ୍ୟାବିନେଟ୍ର ଅନୁମୋଦନ ନିଆଯିବ। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ କ୍ୟାବିନେଟ୍ ଅନୁମୋଦନକୁ ଅପେକ୍ଷା କରିଛି । ଅନେକ ଟ୍ରିବ୍ୟୁନାଲ୍ ବଦଳରେ ଗୋଟିଏ ଟ୍ରିବ୍ୟୁନାଲ ଗଠନ କରାଯିବ। ଏଥିରେ ଜଣେ ଅଧ୍ୟକ୍ଷ ଓ ଜଣେ ଉପାଧ୍ୟକ୍ଷ ରହିବେ। ସଦସ୍ୟଙ୍କ ସଂଖ୍ୟା ୬ରେ ସୀମିତ ରହିବ। ସେମାନଙ୍କ ମଧ୍ୟରୁ ୩ ବିଚାର ବିଭାଗୀୟ ଓ ୩ ବିଶେଷଜ୍ଞ ରହିବେ। ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ୫ ବର୍ଷ କିମ୍ବା ୭୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।