ଓଡ଼ିଶା

ଶ୍ରୀମନ୍ଦିର ଗର୍ଭଗୃହରେ ଗଳୁଛି ପାଣି

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖାଯିବା ପରେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଉଦ୍ୱେଗ ପ୍ରକାଶ ପାଇଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ସମସ୍ୟା । ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିଥିବା ଏୟାରକଣ୍ଡସର୍ନ ଯୋଗୁ ପାଣି ଗଳୁଛି । ଏହା ମହାପ୍ରଭୁଙ୍କ ବାଟି (ଫୁଲ, ତୁଳସୀ ରଖିବା ସ୍ଥାନ) ଉପରେ ପଡ଼ୁଥିବାରୁ ଦୈନିକ ଫୁଲ, ତୁଳସୀ ମାରା ହେଉଛି । ଏହାକୁ ବାଧ୍ୟହୋଇ ଫିଙ୍ଗିବାକୁ ପଡ଼ୁଛି । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଛାମୁ ଖୁଣ୍ଟିଆ ସେବକ । ଏହାର ତୁରନ୍ତ ପ୍ରତିକାର କରିବାକୁ ଛାମୁ ଖୁଣ୍ଟିଆ ସେବକମାନେ ଦାବି କରିଛନ୍ତି ।

ଶ୍ରୀମନ୍ଦିର ଗର୍ଭଗୃହକୁ ଶୀତଳ ରଖିବାପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ବଡ଼ ବଡ଼ ଏୟାରକଣ୍ଡସର୍ନ ଲଗାଯାଇଛି । ଏହି ଏୟାରକଣ୍ଡସର୍ନଗୁଡ଼ିକର ପାଣି ପାଇପ ଯୋଗେ ବାଟି ଘର, ବେହେରଣ ଦ୍ୱାର ଦେଇ ବାହାରକୁ ଛଡ଼ାଯାଇଛି । ଛାମୁ ଖୁଣ୍ଟିଆ ସେବକ ତଥା ଖୁଣ୍ଟିଆ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି ଯେ ଏହି ଏୟାରକଣ୍ଡସର୍ନ ପାଇପରୁ ପାଣି ଗଳି ପ୍ରତିଦିନ ବାଟି ଉପରେ ପଡ଼ୁଛି । ଫଳରେ, ଏହି ପାଣି ବାଟିରେ ଥିବା ଫୁଲ, ତୁଳସୀ ଉପରେ ପଡ଼ୁଛି । ପାଣି ପଡ଼ି ଦୈନିକ ଫୁଲ, ତୁଳସୀ ମାରା ହେଉଥିବାରୁ ଏହାକୁ ଫିଙ୍ଗିବାକୁ ପଡ଼ୁଛି । ବେତା, ବେତା ଫୁଲ, ତୁଳସୀ ଏଥିପାଇଁ ନଷ୍ଟ ହେଉଛି । ଏହାର ତ୍ୱରିତ୍ ସମାଧାନ ନ କଲେ, ଆଗାମୀଦିନରେ ମହାପ୍ରଭୁଙ୍କ ପାଇଁ ଫୁଲ ଓ ତୁଳସୀର ଅଭାବ ଦେଖାଦେଇପାରେ । ସେଭଳି ପରିସ୍ଥିତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦାୟୀ ରହିବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com