ଓଡ଼ିଶା

ବ୍ରହ୍ମପୁର ରେଲୱେ ଷ୍ଟେସନରେ ବିଭିନ୍ନ ଦାବିନେଇ ସିପିଏମର ବିକ୍ଷୋଭ 

ବ୍ରହ୍ମପୁର, ୧୬/୦୯/୨୦୨୨-  ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ବନ୍ଦ କରିବା, ପୂର୍ବ ନିର୍ଧାରିତ ରହଣି ସ୍ଥାନରେ ଟ୍ରେନ ରଖିବା, ସମସ୍ତ ଟ୍ରେନ ଚଲାଇବା, ରେଳବାଇର ମୂଲ୍ୟବାନ ଜମି ବିକ୍ରି ନିଷ୍ପତ୍ତି ବାତିଲ କରିବା ଏବଂ ରେଳବାଇର ଘରୋଇକରଣ ବନ୍ଦ କରିବା ଦାବିରେ ସିପିଏମ ପକ୍ଷରୁ ବ୍ରହ୍ମପୁର ଷ୍ଟେସନରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ରେଳବାଇର  ଶୋଷଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ୨୦୨୦-୨୧ ରେ ୪୪୧୬ କୋଟି ଓ ୨୦୨୧-୨୦୨୨ରେ ୬୦୯୦ କୋଟି ଲାଭ କରିଥିଲେ ମଧ୍ୟ ପାସିଞ୍ଜେର ଟ୍ରେନରେ ଏକ୍ସପ୍ରେସ ଭଡା ଆଦାୟ ରେଳବାଇର ପାସେଞ୍ଜର ଶୋଷଣ ନୀତି ବୋଲି ଅଭିଯୋଗ କରିଥିଲେ ।

ସେହିଭଳି କୋଭିଡ କଟକଣା ଆଳରେ ବିଭିନ୍ନ ବର୍ଗର ଲୋକଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗକୁ ବନ୍ଦ କରି ଦିଆଯାଇଛି । କେନ୍ଦ୍ର ସରକାର ରେଳବାଇକୁ ଦେଶର ଗମନାଗମନର ଲାଇଫ ଲାଇନ ପରିବର୍ତ୍ତେ କର୍ପୋରେଟମାନଙ୍କ  ପ୍ରଫିଟ ଲାଇନରେ ରୂପାନ୍ତରିତ କରିବାକୁ ଚକ୍ରାନ୍ତ କରୁଛନ୍ତି ।ଏହାର ତୀବ୍ର ପ୍ରତିବାଦ କରିବାକୁ ଆହ୍ୱାନ ଦେଇଥିଲେ। ଦଳ ପକ୍ଷରୁ ଏହି ମର୍ମରେ ଏକ ୮ ଦଫା ସମ୍ବଳିତ ସ୍ମାରକ ପତ୍ର ବ୍ରହ୍ମପୁର ଷ୍ଟେସନ ମ୍ୟାନେଜର ଙ୍କ ଜରିଆରେ ଇଷ୍ଟକୋଷ୍ଟ ରେଳବାଇ ଜୋନର ଜେନେରାଲ ମ୍ୟାନେଜର ଙ୍କୁ ପ୍ରଦାନ କରିଥିଲେ ।  ଏହି ପ୍ରତିବାଦରେ ଆଂଚଳିକ ସମ୍ପାଦକ ଶିବ ପ୍ରସାଦ ମହାପାତ୍ର, ଗୋପାଳ ପାଣିଗ୍ରାହୀ, କେଶବ ଗୌଡ଼, ଗୋକୁଳ ତ୍ରିପାଠୀ, ହରି ନାହାକ, ପ୍ରତାପ ଚୌଧୁରୀ, ରଞ୍ଜନ ପାତ୍ର, କୃଷ୍ଣ ନାହାକ, ପୁରସ୍ତମ୍ଭ ସାହୁ, ଗୋପାଳ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com