ଓଡ଼ିଶାଜାତୀୟରାଜନୀତି

ଏକାଠି ମିଶିଲା ଜାଗା ମିଶନ ଏବଂ ଓଡ଼ିଶା ସହରାଞ୍ଚଳ ବାସଗୃହ ମିଶନ

 ଭୁବନେଶ୍ୱର, ୦୮/୧୦/୨୦୨୨-  ରାଜ୍ୟ ସରକାର ଜାଗା ମିଶନକୁ ଓଡ଼ିଶା ସହାରଞ୍ଚଳ ବାସଗୃହ ମିଶନ ସହ ଏକାଠି କରିବାକୁ ଯାଉଛନ୍ତି । ଏହାଦ୍ୱାରା ଜଣେ ହିତାଧିକାରୀ ଏଣିକି ଏକସାଙ୍ଗେ ମାଗଣା ଜମି ସହ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ପାଇବେ । ରାଜ୍ୟ ସରକାରଙ୍କ ଏଭଳି ଅଭିନବ ପଦକ୍ଷେପ ଜାତୀୟ ସ୍ତରରେ ପ୍ରଥମ । କେନ୍ଦ୍ର ଏହାକୁ ସ୍ବୀକୃତି ଦେଇଛି ।

ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ଏହାର ସୁବିଧା ପାଇବେ । ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ହୋଇପାରିବେ । ମହାନଗର ନିଗମ ସହ ରାଜ୍ୟରେ ୧୧୫ଟି ପୌରାଞ୍ଚଳର ୨ ହଜାର ୯୧୯ଟି ବସ୍ତି ପାଇଁ ଜାଗା ମିଶନ ଯୋଜନା ଲାଗୁ ହୋଇଛି । ୧ ଲକ୍ଷ ୭୨ ହଜାର ୬୫୬ ପରିବାରଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି ।। ଆପତ୍ତିବିହୀନ ଜମି ଦଖଲରେ ଥିବା ବସ୍ତିବାସିନ୍ଦାଙ୍କୁ ଜଣକ ପିଛା ୩୦ ବର୍ଗ ମିଟର ଜମି ପାଇଁ ମାଗଣା ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଉଛି । ଏବେ ସୁଦ୍ଧା ୮୦ ହଜାର ୫୫୫ ଜଣ ହିତାଧିକାରୀଙ୍କୁ ସ୍ଥିତାବସ୍ଥା ଜମି ପଟ୍ଟା ପ୍ରଦାନ କରାଗଲାଣି । ସେହିପରି ଆପତ୍ତି ଥିବା ଜମିରେ ବାସଗୃହ କରି ରହିଥିବା ଗରିବଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏପର‌୍ୟ୍ୟନ୍ତ ୯୨ ହଜାର ୧୦୧ ହିତାଧିକାରୀ ଏହି ସାର୍ଟିଫିକେଟ୍ ପାଇଲେଣି ।

ଜାଗା ମିଶନ ନିୟମ ଅନୁଯାୟୀ ଆର୍ଥିକ ଅନଗ୍ରସର ହୋଇନଥିବା ବର୍ଗର ହିତାଧିକାରୀ ସମ୍ପୃକ୍ତ ଜମିର ବେଞ୍ଚ ମାର୍କର ୫୦ ପ୍ରତିଶତ ଅର୍ଥ ଜମା କରିବେ । ଏହାସହିତ ମ୍ୟୁନିସିପାଲଟିରେ ଥିବା ଆର୍ଥିକ ଅନଗ୍ରସର ବ୍ୟକ୍ତି ୩୦ରୁ ୪୫ ବର୍ଗ ମିଟର ଜମି ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବେ । ସେହିପରି ଏନ୍ଏସିରେ ୩୦ରୁ ୬୦ ବର୍ଗମିଟର ଜମି ଅଧିକାର ପାଇଁ ୨୫ ପ୍ରତିଶତ ଅର୍ଥ ଜମା କରିବାକୁ ପଡିବ । ସରକାରଙ୍କ ଏହି ନୂଆ ପଦକ୍ଷେପ ପାଇଁ ଆସନ୍ତା ୧୭ରୁ ୧୯ ତାରିଖ ପର‌୍ୟ୍ୟନ୍ତ ଗୁଜୁରାଟର ରାଜକୋଟରେ ହେବାକୁ ଥିବା ଅର୍ବାନ ହାଉସିଂ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com