
ପୂର୍ବ ଲଦାଖରେ ଚୀନ ସହିତ ମୁହାଁମୁହିଁ ସ୍ଥିତିରେ ଥିବା ସମୟରେ ନିଜର ଶକ୍ତିବୃଦ୍ଧି କରିବା ଲାଗି ଭାରତୀୟ ସେନା ପାଖାପାଖି ୩୫୦ ଆର୍ଟିଲେରି ସିଷ୍ଟମ ଏବଂ ଶୀତଦିନେ କାମ ଦେଉଥିବା ହୋୱିତ୍ଜର୍ ତୋପ ସୀମାରେ ମୁତୟନ କରିଥିଲା। ତେବେ ଆକ୍ରମଣକୁ ଅଧିକ ନିର୍ଦ୍ଦିଷ୍ଟ କରିବା ପାଇଁ ସେନା ବିଭିନ୍ନ ପ୍ରକାର ଡ୍ରୋନ ଓ ସର୍ଭେଲାନ୍ସ ଡିଭାଇସ୍ ସାମିଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଶତ୍ରୁ ଶିବିର ଉପରେ ଆକ୍ରମଣକୁ ଶତ ପ୍ରତିଶତ ଠିକ୍ କରିବା ପାଇଁ ଏହା ଅଣାଯିବ। ଦେଶରୁ ୮୦ ମିନି ରିମୋଟ୍ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ୍ସ , ୧୦ ରନୱେ-ଇଣ୍ଡିପେଣ୍ଡେଣ୍ଟ ଆର୍ପିଏଏସ୍, ୪୪ ଉନ୍ନତମାନର ଦୀର୍ଘ ରେଞ୍ଜର ସର୍ଭେଲାନ୍ସ ସିଷ୍ଟମ ଏବଂ ୧୦୬ଟି ଇନର୍ସିଆଲ ନେଭିଗେସନ ସିଷ୍ଟମ କ୍ରୟ କରାଯିବ। ସେନାର ଏଭିଏସନ ଶାଖା ପକ୍ଷରୁ ଷ୍ଟ୍ରାଟେଜିକ ସର୍ଭେଲାନ୍ସ ପାଇଁ ବର୍ତ୍ତମାନ ବଡ଼ ଆକାରର ୟୁଏଭି- ଯଥା ଇସ୍ରାଏଲ ଦ୍ବାରା ନିର୍ମିତ ହେରନ୍ସ ଏବଂ ସର୍ଚ୍ଚର-୨ ଆଦିର ବ୍ୟବହାର କରାଯାଉଛି। ତେବେ ନୂଆ କ୍ଷୁଦ୍ର ଆର୍ପିଏଏସ୍ଗୁଡ଼ିକ ୧୫-୨୦ କିମିରୁ ୬୦-୯୦ କିମି ପର୍ଯ୍ୟନ୍ତ ରେଞ୍ଜରେ କାର୍ଯ୍ୟ କରିବ। ପାହାଡ଼ ଉପରେ ନିରୀକ୍ଷଣ ପାଇଁ ପଦାତିକ ବାହିନୀ ଦ୍ବାରା ଏଭଳି ଯାନର ଆବଶ୍ୟକତା ରହିଛି।