Featuredଓଡ଼ିଶାବାଣିଜ୍ୟ

ଭୁବନେଶ୍ୱରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରକୁ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍‍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‍ କରିବ ।

ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ ।
ଏହି କେନ୍ଦ୍ର ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।”

ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ‘‘ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ଵତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।’’ ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ମନୋଜ କୁମାର ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆମେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ମଧ୍ୟ ଏକ ଅନୁକୂଳ ପରିବେଶ ଯୋଗାଇବାକୁ ପ୍ରତିବଦ୍ଧ ।

ଏହି କେନ୍ଦ୍ର ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ ଏବଂ ଓଡ଼ିଶାର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍‍ମେଣ୍ଟେଡ୍‍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com