ଅନ୍ତର୍ଜାତୀୟ

ଭାରତ-ଚୀନ ସୀମା ବିବାଦ : ଚଳିତ ମାସ ଭାରତ ଗସ୍ତରେ ଆସିବେ ଚୀନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ବର୍ତ୍ତମାନ ଲାଗି ରହିଥିବା ଚୀନ ଓ ଭାରତ ସୀମା ବିବାଦ ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଚଳିତ ମାସ ଶେଷ ଭାଗରେ ଭାରତ ଗସ୍ତରେ ଆସିବାର ସମ୍ଭାବନା ରହିଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ମାର୍ଚ୍ଚ ୨୬ରେ ନିଜର ନେପାଳ ଯାତ୍ରା ପରେ ୱାଙ୍ଗ ୟି ନୂଆଦିଲ୍ଲୀ ଆସିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ଯଦି ଚୀନର ବୈଦେଶିକ ମନ୍ତ୍ରୀ ଭାରତ ଆସନ୍ତି ତାହେଲେ ମେ ୨୦୨୦ ରେ ଲଦାଖ ପାଖରେ ଥିବା ଗଲୱାନ ଘାଟିରେ ଚୀନ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇ ୨୦ ଜଣ ଭାରତୀୟ ସୈନ୍ୟ ପ୍ରାଣ ହରାଇବା ପରେ କୌଣସି ବରିଷ୍ଠ ଚୀନ ନେତାଙ୍କ ଦ୍ୱାରା ଏହା ପ୍ରଥମ ଥର ଭାରତ ଗସ୍ତ ହେବ
ଗତ ବର୍ଷ ଫେବୃଆରୀ ମାସରେ ଚୀନ କହିଥିଲା ଗଲୱାନ ଘାଟିରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନର ପାଞ୍ଚଜଣ ସାମରିକ ଅଧିକାରୀ ଓ ସୈନିକ ମୃତ୍ୟୁବରଣ କରିଥିଲେ। କିନ୍ତୁ ଏହି ସଂଘର୍ଷରେ ୪୦ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଛି ବୋଲି ଅଷ୍ଟ୍ରେଲିୟ ଖବର କାଗଜ ‘କ୍ଲାକ୍ସନ’ ପ୍ରକାଶ କରିଥିଲା ।
ଚୀନ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ ଏବେ ସୁଦ୍ଧା କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। କିନ୍ତୁ ଦୁଇ ଦେଶର ବରିଷ୍ଠ ଅଧିକାରୀମାନେ ଏନେଇ  ଯୋଗାଯୋଗରେ ଅଛନ୍ତି ବୋଲି ସ୍ଥାନୀୟ ରିପୋର୍ଟରେ କୁହାଯାଇଛି ।
ଗଲୱାନ ଘାଟିରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଭାରତ ଓ ଚୀନ ମୁହାଁ ମୁହିଁ ହୋଇଛନ୍ତି । ସେବେଠାରୁ ଦୁଇଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଛି ।
ଭାରତ ଓ ଚୀନ ସୀମା ବିବାଦର ସମାଧାନ ପାଇଁ ଏବେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ୧୫ ଥର ଆଲୋଚନା ହୋଇସାରିଲାଣି । କିନ୍ତୁ ହୋଇଥିବା ଏହି ଆଲୋଚନାରୁ ଏବେସୁଦ୍ଧା  କୌଣସି ସୁଫଳ ମିଳିପାରୁନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com