ଓଡ଼ିଶା

ବିହାରୀ ମିସ୍ତ୍ରିଙ୍କୁ ବୀଭତ୍ସ ହତ୍ୟା: ମହାନଦୀ ପଠାରୁ ଗଳିତ ଶବ ଜବତ, ମୁଣ୍ଡକୁ ଛେଚିଛନ୍ତି, ହାତ ହାଣି ଫିଙ୍ଗିଦେଇଛନ୍ତି ପେଟରେ ଭୁସିଛନ୍ତି ବିଅର ବୋତଲ, ଅବୈଧ ସମ୍ପର୍କର ପରିଣତି!

ଭୁବନେଶ୍ବର/କଟକ() ଗତ ୨୫ ତାରିଖରୁ ନିଖୋଜ ଥିବା ବିହାରୀ ମିସ୍ତ୍ରି ଆଜାଦ୍ ଯାଦବ(୨୬)ଙ୍କ ଗଳିତ ମୃତଦେହକୁ ଆଜି କଟକ ବିଡ଼ାନାସୀ ଥାନା ପୁଲିସ ମହାନଦୀ ଗଜିଆ ପଠାରୁ ଜବତ କରିଛି। ମୃତଦେହର ଅବସ୍ଥାରୁ ତାଙ୍କୁ ବଡ଼ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବା ବେଳେ ହାତକୁ ହାଣି ଦୂରକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିଭଳି ଆଜାଦ୍‌ଙ୍କ ପେଟରେ ବିଅର୍‌ ବୋତଲ ଭୁସି ଦିଆଯାଇଥିବା ଜଣାପଡ଼ିଛି। ତେଣୁ ଯୋଜନାବଦ୍ଧ ଭାବେ ତାଙ୍କୁ ମହାନଦୀ ପଠାକୁ ନେଇ ହତ୍ୟା କରାଯାଇଛି ବୋଲି ପୁଲିସ ଜାଣିବାକୁ ପାଇଛି। ଏହା ପଛରେ ଅବୈଧ ପ୍ରେମ ସମ୍ପର୍କ ଥିବା ପୁଲିସକୁ ସୁରାକ୍ ମିଳିଛି। ସୁପାରି ନେଇ ଅନ୍ୟ ଦୁଇ ସାଥୀ ମିସ୍ତ୍ରି ଆଜାଦ୍‌କୁ ହତ୍ୟା କରିଥିବା ନେଇ ପୁଲିସ ଖୋଳତାଡ୍‌ ଚଳାଇଛି। ସୁପାରିଦାତା ଠିକାଦାର ବି ସେହିଦିନରୁ ଫେରାର୍ ଥିବାରୁ ପୁଲିସର ସନ୍ଦେହ ବଢ଼ିଛି।

ଆଜି ପୂର୍ବାହ୍ନରେ କିଛି ଲୋକ ଗଜିଆ ପଠା ନିକଟରେ ଏକ ଫେଜର୍ ବାଇକ୍ ପଡ଼ିଥିବା ଦେଖି ବିଡ଼ାନାସୀ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ବାଇକ୍‌ ନମ୍ବରକୁ ଯାଞ୍ଚ କରିବା ପରେ ତାହା ସହିଦନଗରରୁ ନିଖୋଜ ହୋଇଯାଇଥିବା ବିହାରୀ ମିସ୍ତ୍ରି ଆଜାଦ୍‌ର ବୋଲି ଜାଣିବାକୁ ପାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ବାଇକ୍‌ ମିଳିବା ପରେ ପୁଲିସର ସନ୍ଦେହ ହୋଇଥିଲା ଓ ସେମାନେ ନିକଟସ୍ଥ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ବାଇକ୍‌ ପଡ଼ିଥିବା ସ୍ଥାନରୁ ପ୍ରାୟ ୧୦୦ ମିଟର ଦୂରରେ ଆଜାଦ୍‌ଙ୍କ ଗଳିତ ଶବ ଏକ ବୁଦା ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଣି କିଛି ଦୂରରେ ଯାଦବଙ୍କ ଗୋଟେ ହାତ ଓ ହେଲମେଟ୍ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶବ ନିକଟରେ ଏକ ରକ୍ତ ଭିଜା ପଥର ପୁଲିସ ଜବତ କରିଥିଲା। ଡିସିପି ପ୍ରତୀକ ସିଂହ, ଏସିପି ତାପସ ପ୍ରଧାନ ଓ ଥାନା ଆଇଆଇସି ପ୍ରଦୀପ କୁମାର ନାୟକ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସହିଦନଗର ଥାନାରେ ଏକ ନିଖୋଜ ମାମଲା ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି। ଖବର ପାଇ ସହିଦନଗର ଥାନା ପୁଲିସ ଓ ମୃତ ଆଜାଦ୍‌ର ପରିବାର ଲୋକେ ସେଠା‌ରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲା।

Related Articles

Back to top button