ଓଡ଼ିଶା

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା, ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ପଡା ଗ୍ରାମରୁ ନୂତନ ଗ୍ରାମ, ନୂଆ ରାଜସ୍ୱ ନିରକ୍ଷକଙ୍କ କାର୍ଯ୍ୟାଳୟ ଓ ମୋ ସରକାରର ଅନ୍ତର୍ଗତ ସମସ୍ତ ସେବା ପ୍ରଦାନ ସମ୍ବନ୍ଧରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମସ୍ତ ଡିଭିଜନର ଡିଭିଜନର ରାଜସ୍ୱ ଆୟୁକ୍ତ, ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।

ଏହି ବୈଠକରେ ବିଭାଗୀୟ ଅଧିକାରୀ ପଡା ଗ୍ରାମରୁ ନୂତନ ଗ୍ରାମ ସୃଷ୍ଟି ପାଇଁ ନିର୍ଗମନ ହୋଇଥିବା ବିଭିନ୍ନ ବିଜ୍ଞପ୍ତି ଉପରେ ଆଲୋକପାତ କରିଥିଲେ । ୨୦୨୧ ମସିହାରେ ହୋଇଥିବା ବିଜ୍ଞପ୍ତିରେ ପଡା ଗ୍ରାମରେ ୨୫୦ ରୁ କମ ଲୋକ ଥିଲେ ମଧ୍ୟ ରାଜସ୍ୱ ଗ୍ରାମ ଓ ପଡା ଗ୍ରାମ ମଧ୍ୟରେ ଗମନାଗମନରେ କୌଣସି ପ୍ରାକୃତିକ ପ୍ରତିବନ୍ଧକ ଥିଲେ, ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା ପାଇଁ ବିଚାର କରାଯାଇପାରିବାର ବ୍ୟବସ୍ଥା ରହିଛି । ସେହିପରି ପଡା ଗ୍ରାମଟି ରାଜସ୍ୱ ଗ୍ରାମର ୫୦୦ ମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ, ପଡା ଗ୍ରାମର ଲୋକସଂଖ୍ୟା ୩୦୦ରୁ ଅଧିକ ହେଲେ, ସେହି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ହେବାପାଇଁ ଜିଲ୍ଲାପାଳ ପ୍ରସ୍ତାବ ପଠାଇପାରିବେ । ପଡାଗ୍ରାମଟିର ଲୋକସଂଖ୍ୟା ୨୫୦ ରୁ ଅଧିକ ହୋଇ ରାଜସ୍ୱ ଗ୍ରାମରୁ ଦୂରତା ୫୦୦ ମିଟରରୁ ଅଧିକ ହେଲେ, ସେହି ପଡ଼ା ଗ୍ରାମ ମଧ୍ୟ ରାଜସ୍ୱ ଗ୍ରାମ ହୋଇପାରିବ । ପଡା ଗ୍ରାମ ରାଜସ୍ୱ ଗ୍ରାମ ହେଲା ପରେ ମଧ୍ୟ ପଡା ଗ୍ରାମର ବାସିନ୍ଦାମାନେ ଆବଶ୍ୟକ ସ୍ଥଳେ ପୁରୁଣା ରାଜସ୍ୱ ଗ୍ରାମର ଗୋଚର ଓ ସର୍ବସାଧାରଣ ଜାଗା ଯଥା ଶ୍ମଶାନ ଆଦି ବ୍ୟବହାର କରିପାରିବେ । ମନ୍ତ୍ରୀ ସମସ୍ତ ଜିଲ୍ଲାପାଳମାନଙ୍କୁ ଏହିପରି ନୂତନ ଗ୍ରାମର ପ୍ରସ୍ତାବ ଫେବୃଆରୀ ୧୫ ତାରିଖ ସୁଦ୍ଧା ଭୁଅଭିଲେଖ ଓ ସର୍ବେକ୍ଷଣ ସଂସ୍ଥାର ନିର୍ଦ୍ଦେଶକଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନୂତନ ଭାବେ ସୃଷ୍ଟି ହୋଇଥିବା ଗ୍ରାମରେ ଥିବା ଜମିଜମା ସମ୍ବନ୍ଧୀୟ ଦସ୍ତାବିଜ ତୁରନ୍ତ ଭୂଲେଖ ପୋର୍ଟାଲରେ ଅଦ୍ୟତନ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି । ଲୋକମାନେ ଯେପରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନ ଆସି ଉଭୟ ସମୟ ଓ ଅର୍ଥର ଅପଚୟ ନ କରି ଇ-ପାଉତି ମାଧ୍ୟମରେ ଖଜଣା ଦେଇପାରିବେ, ସେ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମନ୍ତ୍ରୀ ନୂତନ ଭାବେ ଯୋଗ୍ୟ ବିବେଚିତ ହୋଇଥିବା ସହାୟକ ରାଜସ୍ୱ ନିରୀକ୍ଷକ ଓ ଅମିନମାନଙ୍କୁ ଡିସେମ୍ବର ୨୦ ତାରିଖ ମଧ୍ୟରେ ନିଯୁକ୍ତିପତ୍ର ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜସ୍ୱ ଆୟୁକ୍ତ ଓ ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ଦିନ ମୋ ସରକାର ମାଧ୍ୟମରେ ଲୋକଙ୍କ ସହ କଥା ହୋଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କଠୁ ଉତ୍କୋଚ ନେଲେ, ଲୋକଙ୍କୁ ଖରାପ ବ୍ୟବହାର କଲେ ଓ କାର୍ଯ୍ୟରେ ଅବହେଳା କଲେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ପାଇଁ ମାନନୀୟ ମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ କଡା ତାଗିଦ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com