ବୃଦ୍ଧଙ୍କ ଉପରେ ମାଡ଼ିଗଲା ବସ୍, ଜୀବନ ବଞ୍ଚେଇଦେଲେ ଭଗବାନ ! ସିସିଟିଭିରେ କଏଦ ଛାତିଥରା ଭିଡିଓ

ଭୁବନେଶ୍ୱର: କଥାରେ ଅଛି, ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଏହି ଉକ୍ତିଟି ଏବେ ସତ ପ୍ରମାଣିତ ହୋଇଛି। ରାସ୍ତା ପାର ହେଉଥିବା ବେଳେ ଜଣେ ବୃଦ୍ଧଙ୍କୁ ଧକ୍କା ଦେଇ ଖସି ଯାଇଥିଲା ଏକ ବସ୍। ଏହି ଘଟଣା ମୁମ୍ବାଇର ପୋୱାଇ ଅଞ୍ଚଳରୁ ଆସିଛି। ଏହି ଫୁଟେଜ୍ ଉକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଏବଂ ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ଟ୍ୱିଟରରେ ପୋଷ୍ଟ କରାଯାଇଛି। ଏଥିରେ କୁର୍ତ୍ତା-ପାଇଜାମା ପିନ୍ଧିଥିବା ଜଣେ ବ୍ୟକ୍ତି ସେହି ଅଞ୍ଚଳର ଏକ ରାସ୍ତା ପାର ହେବାକୁ ଚେଷ୍ଟା କରୁଥିବା ବେଳେ ଏକ ବସ୍ ତାଙ୍କୁ ପଛପଟୁ ଧକ୍କା ଦେଇଥିବାର ଦେଖାଯାଇଛି।
୪୭ ସେକେଣ୍ଡର ଭିଡିଓ ପୋୱାଇ ଅଞ୍ଚଳରେ ଏକ ବ୍ୟସ୍ତବହୁଳ ରାସ୍ତା ସହିତ ଆରମ୍ଭ ହୋଇଛି ଯେଉଁଠାରେ ବହୁ କାର ଏବଂ ଅଟୋରିକ୍ସା ରାସ୍ତା ପାର ହୋଇଥାନ୍ତି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଯାତାୟାତ ହେତୁ ଏକ ବସ୍ ମଧ୍ୟ ଅଟକି ରହିଥିବା ଦେଖାଯାଇଛି।
କିଛି ସେକେଣ୍ଡ ପରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତା ପାର ହେବାକୁ ଚେଷ୍ଟା କରନ୍ତି । କିନ୍ତୁ କିଛି ପାଦ ଚାଲିବା ପରେ ବୃଦ୍ଧଜଣକ ଅଧାରେ ଅଟକି ଯାନ୍ତି। କିନ୍ତୁ ବସ୍ ଡ୍ରାଇଭର, ଗାଡି ସାମ୍ନାରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ଜାଣି ନ ଥିବାରୁ ତାଙ୍କୁ ଧକ୍କା ଦେଇ ଆଗକୁ ବଢିଯାଏ।
ବ୍ୟକ୍ତି ଜଣକ ବସ୍ ତଳେ ଯାଉଥିବାର ଦେଖାଯାଉଛି ଏବଂ ଅନ୍ୟ କାର ଡ୍ରାଇଭରମାନେ ପାଟିତୁଣ୍ଡ କରୁଛନ୍ତି। ବସ୍ ଡ୍ରାଇଭର ତୁରନ୍ତ ଗାଡିଟିକୁ ଅଟକାଇ ସେହି ବ୍ୟକ୍ତି ଜୀବିତ କି ନାହିଁ ଦେଖିବା ପାଇଁ କବାଟ ଖୋଲିଥାଏ।
ଚମତ୍କାର ଭାବରେ, ବୃଦ୍ଧ ଜଣକ ବସ୍ ପଛରୁ ଉଠି ଆସି ଡ୍ରାଇଭର ଆଡକୁ ଯାଉଥିବାର ନଜର ଆସିଛନ୍ତି। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି ପୋଲିସ ମାମଲା ରୁଜୁ ହୋଇନାହିଁ।