ଭୁବନେଶ୍ୱର: ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦୀର୍ଘ ଦିନର ପଚରାଉଚରା ପରେ ସିବିଆଇ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି। ମନୀଷ ସିସୋଦିଆଙ୍କ ଗିରଫଦାରୀ ହେତୁ ଆମ୍ ଆଦମୀ ପାର୍ଟିରେ ଅନେକ କ୍ଷୋଭ ଦେଖିବାକୁ ମିଳୁଛି।
ମଦ ନୀତି ଦୁର୍ନୀତିରେ ୮ ଘଣ୍ଟା ମାରାଥନ ପଚରାଉଚରା ପରେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା। ସିବିଆଇ ତଦନ୍ତ ପୂର୍ବରୁ ମନୀଷ ସିସୋଦିଆ କହିଥିଲେ ଯେ ମୁଁ ୭-୮ ମାସ ଜେଲରେ ରହିଲେ ମଧ୍ୟ ମୋ ପାଇଁ ଦୁଃଖିତ ହୁଅ ନାହିଁ, ଗର୍ବିତ ହୁଅ। ପ୍ରଧାନମନ୍ତ୍ରୀ ମୋଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭୟ କରୁଛନ୍ତି ତେଣୁ ସେ ମୋତେ ଏକ ଜାଲ୍ ମାମଲାରେ ଜଡିତ କରିବାକୁ ଚାହୁଁଛନ୍ତି।