ଜୀବନଶୈଳୀ

ଆରମ୍ଭ ହେଲା ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

 ଭୁବନେଶ୍ୱର, ୨୯/ ୦୩/ ୨୦୨୩ –   ଆଜିଠୁ ଆରମ୍ଭ ହୋଇଛି ଲିଙ୍ଗରାଜ ରୁକୁଣା ରଥଯାତ୍ରା । ନୀତି ଅନୁସାରେ ଗତକାଲି ମରିଚି କୁଣ୍ଡରୁ ପାଣି ଅଣାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ଆଜି ମଙ୍ଗଳ ଆଳତି ପରେ ଭୋଗ ଲାଗି ଏବଂ ପହଣ୍ଡି କରାଯାଇ ରଥଟଣା ଆରମ୍ଭ ହୋଇଛି । ଆଜି ଠାରୁ ୫ ଦିନ ପର୍ଯ୍ୟନ୍ତ ଭଉଣୀ ଋକ୍ମିଣୀଙ୍କୁ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯାଉଛନ୍ତି ପ୍ରଭୁ ଲିଙ୍ଗରାଜ । ଅଣଲେଉଟା ରୁକୁଣା ରଥର ସାରଥୀ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ।

ପୂର୍ବରୁ ରଥ ନିର୍ମାଣ ବେଳେ ଠିକ ସମୟରେ କାଠ ନପହଞ୍ଚି ପାରିବାରୁ ଅନେକ ବିବାଦ ଦେଖା ଦେଇଥିଲା । ମାତ୍ର ନିର୍ଦ୍ଧାରିତ ସମୟରେ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଆନନ୍ଦିତ ହୋଇଛନ୍ତି । ସେପଟେ ଯାତ୍ରାକୁ ଆଖି ଆଗରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷାପାଇଁ ୨ ଜଣ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୧୨ ଜଣ ଡିଏସପି ରାଙ୍କର ଅଧିକାରୀ, ୮୦ ଜଣ ଅଫିସରଙ୍କ ସମେତ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଓ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି ।

ଏହାସହ ମନ୍ଦିର ଭିତରେ ଓ ବାହାରେ ସିସିଟିଭି ଲଗାଯିବା ସହିତ ସାଦା ପୋଷାକରେ ମଧ୍ୟ ପୋଲିସ ରହିଛନ୍ତି । ସେହିପରି ବିଏମସି ପକ୍ଷରୁ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, ପରିମଳ ଆଦିର ସୁବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com