ଓଡ଼ିଶା

ଓଡ଼ିଶାର ସମସ୍ତ କାରାଗାରରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର

ଭୁବନେଶ୍ୱର, ୧୮/୦୭/୨୦୨୨- ଓଡ଼ିଶାର ସମସ୍ତ କାରାଗାରରେ ଖୋଲିବ ଅଙ୍ଗନୱାଡ଼ି କେନ୍ଦ୍ର । ଏନେଇ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜେଲରେ ରହିଥିବା ବିଚାରାଧୀନ ବନ୍ଦୀ ଓ ସଜା କାଟୁଥିବା ବନ୍ଦୀଙ୍କ ପିଲାମାନଙ୍କର କଥା ବୁଝିବେ ସରକାର । ଯେଉଁ ପିଲାଙ୍କ ଅଭିଭାବକ ଅତିକମରେ ଦୁଇ ମାସ ଜେଲରେ ରହିଥିବେ, ସେମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ବନ୍ଦୀଙ୍କର ୧୮ ବର୍ଷରୁ କମ୍ ବୟସର ସନ୍ତାନଙ୍କ ପାଇଁ ଏକ ଖସଡ଼ା ପ୍ରସ୍ତୁତ ହୋଇଛି । ଜେଲ ଭିତରେ ମା’ମାନଙ୍କ ସହିତ ରହୁଥିବା ପିଲାମାନଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେବା ଦାୟିତ୍ୱ ବହନ କରିବେ ଜିଲ୍ଲାପାଳ । ଯଦି ଜେଲରେ ମା’ମାନଙ୍କ ସହିତ ଅଧିକ ସଂଖ୍ୟକ ପିଲା ରହୁଥିବେ, ତେବେ ଜେଲ ଭିତରେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯିବା ସହ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଟିକାକରଣ ବ୍ୟବସ୍ଥା କରାଯିବ । ଜେଲ ଭିତରେ ଅଭିଭାବକ ଓ ଜେଲ ବାହାରେ ରହୁଥିବା ପିଲାମାନଙ୍କୁ ବିଜୁ ସୁରକ୍ଷା କାର୍ଯ୍ୟକ୍ରମ ଓ ଫାଷ୍ଟର କେୟାର ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ।ପିଲାମାନଙ୍କର ବାପା କିମ୍ବା ସେମାନଙ୍କୁ ଯତ୍ନ ନେଉଥିବା ବ୍ୟକ୍ତି ଯଦି ଜେଲରେ ଥିବେ, ତେବେ ଏଭଳି ସ୍ଥିତିରେ ପିଲାମାନଙ୍କର ପରିସ୍ଥିତି ବିଷୟରେ ଅନୁଧ୍ୟାନ କରାଯିବ । ପିଲାମାନଙ୍କ ସୁରକ୍ଷା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ଯେଉଁ ପିଲାମାନଙ୍କ ଚାରିପାଖରେ ବିପଦ ରହିଥିବ ସେମାନଙ୍କ ଅଧିକାର ଓ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ । ପିଲାମାନେ କେଉଁ ପରିବେଶରେ ରହୁଛନ୍ତି, ପାଠ ପଢ଼ୁଛନ୍ତି କି ନାହିଁ, ସେମାନଙ୍କ ଯତ୍ନ କିଏ ନେଉଛି ଆଦି ବାବଦରେ ତଥ୍ୟ ସଂଗ୍ରହ କରାଯିବ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ (ଡିସିପିୟୁ) ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ପକ୍ଷରୁ ମିଳିତ ଭାବେ ଜେଲ୍ ପରିଦର୍ଶନ କରାଯିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com