ବାଣିଜ୍ୟ

ତିରୁପତି ଦେଶର ସବୁଠାରୁ ଧନୀ ମନ୍ଦିର

ଚିତୁର, ୦୭/୧୧/୨୦୨୨ –   ଆନ୍ଧ୍ର ପ୍ରଦେଶର ତିରୁପତି ମନ୍ଦିରର ଦେଶର ସବୁଠୁ ଧନୀ ମନ୍ଦିର ଭାବେ ଉଭା ହୋଇଛି । ୧୯୩୩ ମସିହା ପରେ ପ୍ରଥମ ଥର ଲାଗି ଏହି ମନ୍ଦିରର ସମ୍ପତ୍ତି ତାଲିକା ପ୍ରକାଶ କରାଯାଇଛି । ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏକ ଶ୍ୱେତପତ୍ର ଜାରି କରାଯାଇଛି । ତଦନୁଯାୟୀ ମନ୍ଦିରର ମୋଟ ସମ୍ପତ୍ତି ୨.୩ ଲକ୍ଷ କୋଟି । ସେହିଭଳି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ମନ୍ଦିରର ୧୦.୩୩ ଟନ୍ ସୁନା ଗଚ୍ଛିତ ରହିଛି । ତା’ର ମୂଲ୍ୟ ୫୩୦୦ କୋଟିରୁ ଊର୍ଦ୍ଧ୍ୱ ହେବ । ପ୍ରାୟ ୧୬ କୋଟି ଟଙ୍କା ନଗଦ ଆକାରରେ ବିଭିନ୍ନ ବ୍ୟାଙ୍କ୍‌ରେ ଜମା ରହିଛି ।

ସେହିପରି ମନ୍ଦିର ନିକଟରେ ୨.୫ ଟନ୍‌ର ଦୁର୍ମୁଲ୍ୟ ସାମଗ୍ରୀ ଅଛି । ସାରା ଭାରତରେ ବିଭିନ୍ନ ସ୍ଥାନରେ ମନ୍ଦିରର ୭୧୨୩ ଏକର ଜମିରେ ୯୬୦ଟି ସମ୍ପତ୍ତି ରହିଛି । ୨୦୧୯ରେ ବିଭିନ୍ନ ବ୍ୟାଙ୍କ୍‌ରେ ମନ୍ଦିରର ୧୩,୦୨୫ କୋଟି ଟଙ୍କା ଜମା ଥିଲା । ଯାହା ବଢ଼ି ୧୫,୯୩୮ କୋଟି ହୋଇଯାଇଛି । ଗତ ୩ ବର୍ଷର ବିନିଯୋଗରେ ୨୯୦୦ କୋଟି ବୃଦ୍ଧି ହୋଇଛି । ସେହିପରି ୨୦୧୯ରେ ଟିଟିଡି ପାଖରେ ୭୩୩୯.୭୪ ଟନ୍ ସୁନା ଜମା ଥିଲା । ଗତ ୩ ବର୍ଷ ମଧ୍ୟରେ ସେଥିରେ ଆଉ ୨.୯ ଟନ୍ ସୁନା ମିଶିଛି । ଭକ୍ତଙ୍କ ଦାନ, ବ୍ୟବସାୟ ସଂଗଠନ ଓ ବିଭିନ୍ନ ପ୍ରତିଷ୍ଠାନରୁ ମିଳିଥିବା ଅନୁଦାନରୁ ମନ୍ଦିରର ଆୟ ହୋଇଥାଏ ବୋଲି ଏଥିରେ ଦର୍ଶାଯାଇଛି । ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଥିବା ଏହି ମନ୍ଦିର ତିରୁମାଲା, ତିରୁପତି ବାଲାଜୀ ମନ୍ଦିର ଭାବେ ବି ପ୍ରସିଦ୍ଧ । ଏଠାରେ ପୂଜା ପାଉଥିବା ଭଗବାନ ଭେଙ୍କଟେଶ୍ୱରଙ୍କୁ ବାଲାଜୀ, ଶ୍ରୀନିବାସ, ଗୋବିନ୍ଦ ଭଳି ବିଭିନ୍ନ ନାମରେ ଭକ୍ତମାନେ ସମ୍ବୋଧନ କରିଥାନ୍ତି । ଟିଟିଡି ଏହାର ପରିଚାଳନା ଦାୟିତ୍ୱ ବୁଝିଥାଏ । ତା’ର ମୁଖ୍ୟଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନିଯୁକ୍ତ କରିଥାନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com