Breaking NewsFeaturedଜାତୀୟରାଜନୀତି

ଆପ୍‌-କଂଗ୍ରେସ ମଧ୍ୟରେ ପ୍ୟାଚ୍‌ ପକାଇଲେ ମମତା ବାନାର୍ଜୀ…

ସଂସଦରେ ଉଠିବ ଦିଲ୍ଲୀ ମୁଦ୍ଦା... ଜାଣନ୍ତୁ ପୂରା ଖବର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବିରୋଧୀଙ୍କ ପାଟନା ବୈଠକରେ ଦିଲ୍ଲୀ ମୁଦ୍ଦାକୁ ଗୁରୁତ୍ୱ ଦେଇ ଆପ୍ ଚାହୁଁଥିଲା କଂଗ୍ରେସର ସମର୍ଥନ । ଆଉ ଏଥିରେ ଆପ୍‌କୁ ସହଯୋଗ କରୁଥିଲେ ପଶ୍ଚିମବଙ୍ଗର ଟିଏମସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କିନ୍ତୁ ବୁଝାମଣା ଅଟକି ରହିଥିଲା । ଗୋଟିଏ ପଟେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଏହା ପାର୍ଲାମେଣ୍ଟାରି ଇସ୍ୟୁ ହୋଇଥିବାରୁ ସଂସଦ ଚାଲୁଥିବାବେଳେ ଯାହା ବିଚାର କରିବୁ । ଅନ୍ୟପଟେ ଆପର ଦିଲ୍ଲୀ ଅଡିନାନ୍ସକୁ ସମର୍ଥନ ନଦେଲେ ପରବର୍ତ୍ତୀ ବିରୋଧୀ ମହାମେଣ୍ଟରେ ଆମେ ସାମିଲ୍ ହେବୁନି ବୋଲି ରୋକଠୋକ୍ ଶୁଣାଇଥିଲେ ଆପ୍ ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଏଭଳି ସ୍ଥିତିରେ ଆଗକୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଗମା ଜୁଲାଇ ୨୦ରୁ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ପ୍ରସ୍ତୁତ ହୋଇସାରିଛି କଂଗ୍ରେସ । କଂଗ୍ରେସର ପାର୍ଲିଆମେଣ୍ଟାରି ପାର୍ଟି ଷ୍ଟ୍ରାଟେଜି ଗ୍ରୁପ୍ ମିଟିଂ ନିକଟରେ ହୋଇସାରିଛି । ଏହା ପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଦଳର ରଣନୀତି ସମ୍ପର୍କରେ ପ୍ରେସମିଟ୍‌ରେ ଦେଇଥିଲେ ସୂଚନା ।

ଆସନ୍ତୁ ଦେଖିବା କେଉଁ ସବୁ ପ୍ରସଙ୍ଗକୁ ନେଇ ସଂସଦର ଆଗାମୀ ଅଧିବେଶନରେ ସରକାରଙ୍କୁ ଘେରିବା ଯୋଜନା କରିଛି କଂଗ୍ରେସ । ଜୟରାମ ରମେଶଙ୍କ କହିବା ଅନୁସାରେ…

  • ପ୍ରଥମ ଇସ୍ୟୁ ହେଉଛି ମଣିପୁର ଦଙ୍ଗା । ଦୀର୍ଘଦିନ ଧରି ମଣିପୁରରେ ହିଂସା ବ୍ୟାପି ଚାଲିଛି ଓ ସେଠାରେ ସ୍ଥିତି ସ୍ୱାଭାବିକ ହେଉନି । ଏଥିପାଇଁ କେନ୍ଦ୍ର ସରକାର କେଉଁ ସବୁ ପଦକ୍ଷେ ପ ନେଇଛନ୍ତି? ଏହାକୁ ଏକ ଇସ୍ୟୁ କରିବ କଂଗ୍ରେସ ।
    ସେହିପରି
  • ରେଳ ସୁରକ୍ଷା ପ୍ରସଙ୍ଗକୁ ଉଠାଇବ କଂଗ୍ରେସ । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ପରେ ପରେ ଦେଶର ଅନେକ ସ୍ଥାନରେ ରେଳ ସୁରକ୍ଷା ନେଇ ସାଧାରଣରେ ଉଠିଛି ପ୍ରଶ୍ନ ।
  • ତୃତୀୟରେ ଦେଶର ସଂଘୀୟ ବ୍ୟବସ୍ଥାକୁ ବିଜେପି ନେତୃତ୍ୱାଧୀନ ସରକାର ବାରମ୍ବାର ଆକ୍ରମଣ କରୁଥିବା ପ୍ରସଙ୍ଗ ରଖିଛି କଂଗ୍ରେସ ।
  • ଚତୁର୍ଥରେ ନିର୍ବାଚିତ ରାଜ୍ୟ ସରକାରମାନଙ୍କୁ ରାଜ୍ୟପାଳଙ୍କୁ ଢାଲ କରି କେନ୍ଦ୍ର ସରକାର ଏକ ପ୍ରକାର ଆକ୍ରମଣ କରୁଥିବା ନେଇ ମୁଦ୍ଦା ଉଠାଇବ କଂଗ୍ରେସ । ମହାରାଷ୍ଟ୍ର ଭଳି ଅନେକ ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ବେଆଇନ ଭାବେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ ରଖିଛି କଂଗ୍ରେସ ।
  • ପଞ୍ଚମରେ କ୍ଷୁଦ୍ର ବ୍ୟବସାୟୀ ଓ ଜିଏସଟି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି କଂଗ୍ରେସ ।
  • ଠିକ୍ ସେହିପରି ଷଷ୍ଠରେ ରହିଛି ଦେଶରେ ହୁ-ହୁ ହୋଇ ବଢ଼ି ଚାଲିଥିବା ଦରଦାମ । ଗତ କିଛିଦିନ ଧରି ସାଧାରଣ ଲୋକେ ଟମାଟୋ ପାଇଁ ଯେଉଁଭଳି ବିକଳ ହେଉଛନ୍ତି, ସେହି କଥାକୁ ସଂସଦରେ ଇସ୍ୟୁ କରିବ କଂଗ୍ରେସ ।
  • ନଂ ସାତରେ କଂଗ୍ରେସ ଟାର୍ଗେଟ୍ କରିଛି କେନ୍ଦ୍ର ସରକାର ଦେଉଥିବା ନାରା- ବେଟି ବଞ୍ଚାଓ, ବେଟି ପଢ଼ାଓ ଉପରେ । ଗୋଟିଏ ପଟେ ଝିଅଙ୍କୁ ସୁରକ୍ଷା ଦେବାକୁ କହୁଥିବା ବିଜେପି ସରକାର ଅନ୍ୟପଟେ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଥିଲେ ମଧ୍ୟ ନିଜ ଦଳୀୟ ସାଂସଦ ବ୍ରିଜ୍ ଭୂଷଣଙ୍କୁ ସୁରକ୍ଷା ଦେଉଥିବା କଥା ଉଠାଇବ କଂଗ୍ରେସ ।
  • ସେହିପରି ଆଉ ଏକ ପ୍ରସଙ୍ଗ ରଖିଛି କଂଗ୍ରେସ । କଂଗ୍ରେସ ସମୟରେ ଆରମ୍ଭ ହୋଇଥିବା ମନରେଗା ଯୋଜନାରେ ଅର୍ଥ ହଡ଼ପ କରାଯାଉଥିବା ଭଳି ଅଭିଯୋଗ ରଖିଛି କଂଗ୍ରେସ ।

ଏସବୁ ସମ୍ପର୍କରେ କଂଗ୍ରେସ ନେତା ଜୟରାମ ରମେଶ ପ୍ରେସ ମିଟରେ କହିଥିଲେ ମଧ୍ୟ ସଂଘୀୟ ବ୍ୟବସ୍ଥା ଭିତରେ ଆସୁଥିବା ଦିଲ୍ଲୀର ମୁଦ୍ଦା ବା ଆପ୍ ପକ୍ଷରୁ ହେଉଥିବା ଦାବି ସମ୍ପର୍କରେ କିଛି ବି କହିନଥିଲେ । ଫଳରେ ଆପ୍ ପକ୍ଷରୁ ତେଜିଥିଲା ଅସନ୍ତୋଷ । ତେବେ ଏନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗକୁ ଆସିଥିଲେ । କଂଗ୍ରେସ ଓ ଆପ୍ ମଧ୍ୟରେ ବୁଝାମଣା କରିବା ପାଇଁ ସେ ଚେଷ୍ଟା କରିଥିଲେ । ଯାହା କି ଏବେ ଏହାର ସୁଫଳ ମିଳିଛି । ଉଭୟ ଦଳ ମଧ୍ୟରେ ବୁଝାମଣା ପାଇଁ ମମତାଙ୍କ ପ୍ରସ୍ତାବକୁ ଏଡ଼ାଇ ପାରିନି କଂଗ୍ରେସ । ଗତ ୧୬ ତାରିଖ ଏନେଇ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା କେସି ବେଣୁଗୋପାଳ ଦେଇଛନ୍ତି ସୂଚନା । ସେ କହିଛନ୍ତି ଯେ ଦିଲ୍ଲୀ ଅଡିଆନ୍ସକୁ ନେଇ ସଂଘୀୟ ବ୍ୟବସ୍ଥା ଆଧାରରେ ସଂସଦରେ କଥା ଉଠିବ । ବାସ୍ ଏହି ପଦେ କଥାରେ କଂଗ୍ରେସ ଆପ୍‌କୁ ସର୍ମଥନ ଦେଉଥିବା ସ୍ପଷ୍ଟ ହୋଇଯାଇଛି । ଫଳରେ ଟିଏମସି ପକ୍ଷରୁ କୁହାଯାଇଛି ଯେ ଏହା ମମତାଙ୍କ ମ୍ୟାଜିକ୍ ବା ମମତା ମ୍ୟାଜିକ୍ ।

ମୋଟାମୋଟି ଭାବେ ଆଗକୁ କଣ ହେବ ତାହା ସମୟ କହିବ କିନ୍ତୁ ମମତାଙ୍କ ମ୍ୟାଜିକ୍ ପରେ ଏହା ସ୍ପଷ୍ଟ ହେଉଛି ଯେ ବିରୋଧୀ ମହାମେଣ୍ଟ ସହ ରହିବାକୁ ଚାହୁଛନ୍ତି ମମତା । ଏଥିସହ ଆପ୍ ଭଳି ଅନ୍ୟ ଛୋଟଛୋଟ ଦଳକୁ ସାଥୀରେ ନେଇ ୨୦୨୪ରେ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଚାହୁଛନ୍ତି ମମତା ବାନାର୍ଜୀ।

(Its Exclusive Analysis by Mobile News 24X7 Team)

ଦେଖନ୍ତୁ ଭିଡିଓ:

Related Articles

Back to top button
WP Twitter Auto Publish Powered By : XYZScripts.com