ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ, ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତି
![Lingaraj Temple](https://i0.wp.com/odia.mobilenews24x7.com/wp-content/uploads/2023/10/q0ls-izAPMg-SD.jpg?resize=640%2C470&ssl=1)
ପୁଣି ଉପାସରେ ଲିଙ୍ଗରାଜ । ବୁଧବାର ମଙ୍ଗଳ ଆଳତୀ ପରଠାରୁ ସମସ୍ତ ନୀତିକାନ୍ତି ବନ୍ଦ ରହିଛି । ଦୁଇ ସେବାୟତ ଗୋଷ୍ଠୀଙ୍କ କନ୍ଦଳ ଯୋଗୁ ଏପରି ବିଭ୍ରାଟ ସୃଷ୍ଟି ହୋଇଥିବା ଜଣାପଡିଛି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ଉପୁଜିଛି ଏପରି ପରିସ୍ଥିତି । ତେବେ ବେବନ୍ଦୋବସ୍ତ ଜମି ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ଜମିଜମାକୁ ନେଇ ମକଦ୍ଦମା ଚାଲିଥିବାବେଳେ ଏହି ଜମିଗୁଡିକୁ ଲିଙ୍ଗରାଜଙ୍କ ଖାତାକୁ ଫେରାଇ ଅଣାଯାଉଛି । ସେହିପରି ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଦିଆ ଯାଇଥିବା ସମ୍ପତ୍ତିରେ ସେମାନେ ନିର୍ମାଣ କରୁଥିବା ଦୋକାନ ଘରକୁ ବିରୋଧ କରାଯାଇଥିଲା । ମାତ୍ର ଏବେ ବଡୁ ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟରୁ ଅନୁମତି ମିଳିଛି । ପୂର୍ବରୁ ନିର୍ମାଣ ସମୟରେ ଅନ୍ୟ ନିଯୋଗ ଚ୍ୟାଲେଂଜ କରିବା ଫଳରେ ଦୋକାନ ଘର ନିର୍ମାଣ କାମ ବନ୍ଦ ରହିଥିଲା ।
ସେପଟେ ହାଇକୋର୍ଟଙ୍କ ରାୟକୁ ଯଦି ଦେବତ୍ତୋର ବିଭାଗ ଠିକ୍ ବୋଲି ଭାବୁଛି ତାହାହେଲେ ବେବନ୍ଦୋବସ୍ତ ଜମି ଗୁଡ଼ିକ କାହିଁକି ସେବାକାରୀଙ୍କଠାରୁ ଛଡ଼ାଇ ନିଆ ଯାଇ ଲିଙ୍ଗରାଜଙ୍କ ଖାତାକୁ ଦିଆଯାଇଛି ସେ ନେଇ ପ୍ରଶ୍ନ ଉଠିଛି । ଅନ୍ୟପଟେ ଜମିଗୁଡିକୁ ତୁରନ୍ତ ଫେରାଇବା ପାଇଁ ଦାବି ହୋଇଛି । ଯଦି ଏହି ଦାବିଗୁଡିକ ପୂରଣ ନହୁଏ ଆଗକୁ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଲିଙ୍କରାଜଙ୍କ ନୀତିକାନ୍ତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ଏହାଛଡା ଦେବତ୍ତୋର ବିଭାଗର ଓକିଲଙ୍କ ନିରବଦ୍ରଷ୍ଟା ଯୋଗୁ ଏକାପାଖିଆ ରାୟ ମିଳିଥିବା ଅଭିଯୋଗ ହୋଇଚି । ଏଥିପାଇଁ ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଷଡଯନ୍ତ୍ର ହୋଇଥିବା ଦର୍ଶାଇ ନୀତିକାନ୍ତି ବନ୍ଦ କରିଛନ୍ତି ।