ରାଜନୀତି

ବିଧାୟକ ସୁର ରାଉତରାୟ ଓହରିବା ପରେ କିଏ ଧରିବ ଜଟଣୀର ମଙ୍ଗ

ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଏନେଇ ଏବେ ଠାରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଚାଲିଲାଣି ମାନସମନ୍ଥନ । ସବୁ ଦଳରେ କିଏ କାହାକୁ କେଉଁଠି ପ୍ରାର୍ଥୀ କରିବେ ସେନେଇ ଚାଲିଛି ନାନା କଳ୍ପନା ଜଳ୍ପନା ।

ଏହାରି ଭିତରେ ଅନେକ ଆସନକୁ ନେଇ ଏବେ ବି ହଟୁନି ସସପେନ୍ସ, ଛିଡୁନି ଦ୍ୱନ୍ଦ । ସେମିତି ଏକ ଚର୍ଚ୍ଚିତ ଆସନ ଜଟଣୀ ବିଧାନସଭା ଆସନ । ଯେଉଁଠି ଗୋଳମାଳିଆ ରହିଛି କଂଗ୍ରେସର ଅଙ୍କ । ଏବେ ବି ବଡ ପ୍ରଶ୍ନ ବିଧାୟକ ସୁର ରାଉତରାୟଙ୍କ ପରେ କିଏ ଧରିବ କଂଗ୍ରେସର ମଙ୍ଗ । ଯେହେତୁ ଏଥର ନିର୍ବାଚନ ଲଢିବେ ନାହିଁ ବୋଲି ସୁର ସ୍ପଷ୍ଟ ମନା କରିଦେଇଛନ୍ତି, ଯେତେ ଚାପ ପକାଇଲେ ମଧ୍ୟ ସୁର ନିର୍ବାଚନ ଲଢିବା ସମ୍ଭାବନା କମ୍ ।

ତେଣୁ ଏଥର କିଏ ହେବ ଜଟଣୀରୁ କଂଗ୍ରେସ ପ୍ରାର୍ଥୀ । କାରଣ ସୁରଙ୍କ ସାନ ପୁଅ ମନ୍ଥଥ ରାଉତରାୟ କଦାପି କଂଗ୍ରେସରୁ ପ୍ରାର୍ଥୀ ହେବେନି ବୋଲି ରୋକଠୋକ କହିଛନ୍ତି । ମନ୍ଥଥଙ୍କ ନଜର ଏବେ ବିଜେଡି ଟିକେଟ ଉପରେ ରହିଥିବା ଚର୍ଚ୍ଚା ହେଉଛି । ଏସବୁକୁ ନେଇ ଜଟଣୀରେ କଂଗ୍ରେସ କର୍ମୀ ଓ ସମର୍ଥକ ଦ୍ୱନ୍ଦରେ । ଗୋଟିଏ ପଟେ ସୁର ଏବେ ବି ବେଶ ସକ୍ରିୟ ଥିବା ବେଳେ, ସେପଟେ ତାଙ୍କର ବହୁ ସମର୍ଥକ ମନ୍ଥଥଙ୍କ ଶିବିରରେ ଡେରା ପକାଇଲେଣି । ତେବେ ଦଳର ଦୃଢ ସମର୍ଥକ ସୁରଙ୍କ ସହ ରବିବେ ନା ମନ୍ଥଥଙ୍କ ଆଡକୁ ଯିବେ ତାକୁ ନେଇ ବି ଜାରି ରହିଛି ସସ୍ପେନ୍ସ ।

ଏବେ ଆସନ୍ତୁ ନଜର ପକାଇବା ଏଭଳି ଗୋଳମାଳିଆ ସ୍ଥିତି ଭିତରେ କିଏ କିଏ ସବୁ ଜଟଣୀ ରେସରେ ଅଛନ୍ତି ।
ରେସର ସବୁଠୁ ଆଗରେ ରହିଛନ୍ତି ସୁରଙ୍କ ପୁତୁରା ତଥା ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ । ପୂର୍ବରୁ ୨୦୧୪ରେ ସେ ନିର୍ଦ୍ଦଳୀୟ ବିଧାୟକ ପ୍ରାର୍ଥୀ ସାଜି ୫ହଜାରରୁ ଅଧିକ ଭୋଟ ପାଇଥିଲେ । ସେହିପରି ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ ମଧ୍ୟ କଂଗ୍ରେସ ଟିକେଟ ଦୌଡରେ ଆଉ ଜଣେ ଦାବିଦାର ।

ଏହାସହ ପୂର୍ବତନ ପିସିସି ସମ୍ପାଦକ ରସିକ ପଟ୍ଟନାୟକ ବି କଂଗ୍ରେସ ଟିକେଟ ଆଶାୟୀ ତାଲିକାରେ ଥିବା ଚର୍ଚ୍ଚା ହେଉଛି ।
ତେବେ ଏସବୁ ଭିତରେ ଜଟଣୀରେ କଂଗ୍ରେସର ରଣନୀତି ପୁରାପୁରି ନିର୍ଭର କରୁଛି ବିଧାୟକ ସୁରଙ୍କ ଆଭିମୁଖ୍ୟ ଉପରେ । ସୁର ନିଜେ ଲଢିବେ ନାହିଁ? ଯଦି ଲଢିବେନି, କାହାକୁ ସମର୍ଥନ କରିବେ? ତାଙ୍କ ପୁଅ ଅନ୍ୟ ଦଳରୁ ପ୍ରାର୍ଥୀ ହେଲେ, ଜଟଣୀ କଂଗ୍ରେସରେ କଣ ରହିବ ସୁରଙ୍କ ଭୂମିକା? କୁଆଡେ ଯିବ ସୁରଙ୍କ ପାରମ୍ପାରିକ ଭୋଟ? ଏସବୁ ପ୍ରଶ୍ନର ଚାଲିଛି ଏବେ ଉତର ଖୋଜା । ଏହାକୁ ନେଇ ଅଙ୍କ କଷୁଛି ଜଟଣୀ କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com